ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୦୯।୦୯: ରାଜ୍ୟ ସରକାର ଆଜି ଆଇଏଏସ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ଟି ଜିଲ୍ଲା ଯଥା ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିରର ଜିଲ୍ଲାପାଳଙ୍କର ବଦଳି ହୋଇଛି।

ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଓ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ପଦରେ ମିଳିଛି ନିଯୁକ୍ତି।

ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଂଚଳ ରଣାଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଓ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ଏହାଛଡା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ନୂଆପଡ଼ା ଜିଲ୍ଲାପାଳ, ଅନୁଗୋଳ ଜିଲ୍ଲାପାଳ ଓଏଏସ୍ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଗୁୁଣୁପୁର ଉପଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଦାୟିତ୍ଵ ଦିଆଯାଇଛି। ଗଞ୍ଜାମରେ କୋଭିଡ୍ ପରିଚାଳନା ପାଇଁ ଓଏସଡି ଭାବେ ନିଯୁକ୍ତି ପାଇଥିବା ଭି. କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଜପତିରେ କୋଭିଡ୍ ପରିଚାଳନା ପାଇଁ ଓଏସଡି ଭାବେ ନିଯୁକ୍ତି ପାଇଥିବା ଜେ. ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।