ତାଳଚେର,୦୩।୦୯: ଶିଳ୍ପନଗରୀ ତାଳଚେର ସହରବାସୀ ଙ୍କୁ ସ୍ଥାନୀୟ ଜନସ୍ୱାର୍ଥ ବିଭାଗ ବ୍ରାହ୍ମଣୀ ନଦୀରୁ ସିଧାସଳଖ ଭାବେ ପରିତ୍ୟକ୍ତ ଗୋଳିଆ ପାଣି ଯୋଗାଣକୁ ନେଇ ସହରବାସି ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଜଣ୍ଡିସ ଆଶଙ୍କାକୁ ନେଇ ଚର୍ଚ୍ଚା ର ମୁଖ୍ୟ ବିଷୟ ହୋଇଛି। ତାଳଚେର ସହର ମଧ୍ୟରେ ବୋହି ଯାଇଛି ଚିରସ୍ରୋତା ବ୍ରାହ୍ମଣୀ ନଦୀ। ପୌରପରିଷଦ ତିନି ନମ୍ବର ୱାର୍ଡ ନଦୀ କୂଳରେ ରହିଛି ଜନସ୍ୱାର୍ଥ ବିଭାଗର ପାଣି ପମ୍ପ ହାଉସ ଏବଂ ସେହି ନିକଟରେ ରହିଛି ଜଳ ବିଶୋଧନାଗାର। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ନଦୀ ଜଳକୁ ବିଶୋଧନ ନକରି ସିଧାସଳଖ ଭାବେ ଗୋଳିଆ ପରିତ୍ୟକ୍ତ ପାଣିକୁ ଦୀର୍ଘ ପନ୍ଦରଦିନ ବ୍ୟାପି ଯୋଗାଇ ଦେଇ ଆସୁଛନ୍ତି। ଫଳରେ ଏହି ଗୋଳିଆ ପରିତ୍ୟକ୍ତ ପାଣିକୁ କେହି କେହି କୋୖଣସି ଉପାୟ ନପାଇ ବ୍ୟବହାର କରୁଥିଲା ବେଳେ ଆଉ କେହି ଏହି ପାଣି କୁ ଆଦୌ ବ୍ୟବହାର କରୁ ନଥିବା ଅଭିଯୋଗ ହେଉଛି। ଏହି ପାଣିକୁ ଫୁଟାଇ ନ ପିଇଲେ ଜଣ୍ଡିସ ହେବା ଆଶଙ୍କାକୁ ଆଦୌ ଏଡାଇ ଦିଆଯାଇ ନପାରେ। ଏହି ବିପର୍ଯ୍ୟୟ ଅବସ୍ଥାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ତାଳଚେର ଉପଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ସମଗ୍ର ସହରବାସୀ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।