ରାଞ୍ଚି,୦୧/୦୮: ଅଭିନେତାଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ କାହାକୁ ଛାଡ଼ୁନି ମହାମାରୀ କରୋନା। ସମସ୍ତେ ଏବେ ଆତଙ୍କିତ। ପ୍ରଶାସନିକ ଅଧିକାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଥିବା ସୂଚନା ମିଳୁଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜଣେ ବ୍ୟକ୍ତିଗତ ସଚିବ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଗାଡିର ଡ୍ରାଇଭର କରୋନା ପଜିଟିଭ ବୋଲି ଜଣାପଡିଛି। ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଡ୍ରାଇଭର କାଜଲ ଠାକୁର ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜରୁରିକାଳୀନ ସଚିବ କମଲେଶ କୁମାରଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଦୁହେଁ ପାଟନାରୁ ଫେରି ହୋମ କ୍ଵାରାଣ୍ଟାଇନରେ ଥିଲେ। ଏହାପରେ ଅନ୍ୟ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀଙ୍କର କରୋନା ପରୀକ୍ଷା କରାଯାଇଥିଲାବେଳେ ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। (ଏଜେନ୍ସି)