ନୂଆଦିଲ୍ଲୀ : ତଥ୍ୟ ଚୋରି ଅଭିଯୋଗରେ ଟିକ୍ଟକ୍ ସମେତ ୫୯ଟି ଚାଇନା ମୋବାଇଲ୍ ଆପ୍କୁ ଭାରତରେ ବ୍ୟାନ୍ ଘୋଷଣା କରିଥିଲେ। ଦେଶର ଏକତା ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଭାରତ ସରକାରଙ୍କ ବ୍ୟାନ୍ ଘୋଷଣାର ଗୋଟିଏ ଦିନ ପରେ ସବୁଠାରୁ ଲୋକପ୍ରିୟ ସର୍ଟ ଭିଡିଓ ଆପ୍ଲିକେସନ୍ ଟିକ୍ଟକ୍ କୁ ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ସୂଚନା ଥାଉ କି ଭାରତରେ ପ୍ରାୟ ୧୧୯ ନିୟୁତ ଉପଭୋକ୍ତା ଟିକ୍ଟକ୍ ରେ ସକ୍ରିୟ ରହିଥିଲେ। ଏଥି ସହିତ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍ର ଶ୍ରେଷ୍ଠ ୧୦ ଟି ଆପ୍ ମଧ୍ୟରେ ଥିଲା ଟିକ୍ଟକ୍। ଯେଉଁ ଉପଭୋକ୍ତାଙ୍କର ମୋବାଇଲ୍ ଫୋନରେ ଟିକ୍ ଟକ୍ ଆପ୍ ଅଛି ସେମାନେ ଏହାକୁ ବ୍ୟବହାର କରିପାରିବେ କିନ୍ତୁ ଦେଶରେ ଏହି ଆପକୁ ଆନୁଷ୍ଠାନିକ ଭାବେ ନିଷିଦ୍ଧ ଘୋଷଣା କରାଯାଇଛି। ଏହି ଆପ ପୁଣିଥରେ ଡାଉନଲୋଡ୍ ହୋଇପାରିବ ନାହିଁ ।
ଅନ୍ୟପଟେ ଭାରତ ସରକାରଙ୍କ ନିଷେଧାଦେଶ ପରେ ଟିକ୍ଟକ୍ ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ ସରକାର ଲଗାଇଥିବା ପ୍ରତିବନ୍ଧକ ସାମୟିକ ଏବଂ ଏହା ଉପରେ ସରାକାରଙ୍କ ସହ ଆଲୋଚନା କରାଯାଉଛି। ଟିକ୍ଟକ୍ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ସରକାର ଟିକ୍ଟକ୍ ସମେତ ୫୯ଟି ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି। ଟିକ୍ଟକ୍ ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକକୁ ନେଇ ଆମେ ଶୀଘ୍ର ସରକାରଙ୍କ ସହ କଥା ହେଉଛୁ । ତଥ୍ୟ ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ ସବୁପ୍ରକାରର ଭାରତୀୟ ଆଇନକୁ ଟିକଟକ ପାଳନ କରିଆସିଛି । କମ୍ପାନି ନିଜ ୟୁଜରଙ୍କ ତଥ୍ୟ ଚୀନ କିମ୍ବା ଅନ୍ୟ କୌଣସି ବିଦେଶୀ ସରକାରଙ୍କୁ ପ୍ରଦାନ କରିନାହିଁ । ସରକାର ଅନୁମତି ଦେଲେ ଆଗକୁ ମଧ୍ୟ ଏହା ବଜାୟ ରଖିବୁ । ଗୋପନୀୟତା ଓ ସ୍ୱଚ୍ଚତା ରକ୍ଷା ଉପରେ କମ୍ପାନି ସର୍ବାଧିକ ଗୁରୁତ୍ୱ ଦେଇଥାଏ ବୋଲି ଟିକଟକ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧି କହିଛନ୍ତି ।