ଆରମ୍ଭ ହେଲା ଅନଲାଇନ ଭତ୍ତା ଆବେଦନ । ଆଉ ଦୌଡିବାକୁ ପଡ଼ିବ ନାହିଁ ପଞ୍ଚାୟତ କାର୍ଯ୍ୟାଳୟ।

ଭୁବନେଶ୍ୱର ୨୭/୦୬: ଏଣିକି ଆଉ ଭତ୍ତା ଆବେଦନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ। ଭିନ୍ନକ୍ଷମ, ବିଧବା ଓ ତୃତୀୟଲିଙ୍ଗଙ୍କ ପାଇଁ ଅନଲାଇନ ଆବେଦନ ସୁବିଧା ଆରମ୍ଭ କରିଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। ଏହାସହ ମଧୁବାବୁ ପେନସନ ଯୋଜନା ଆପ୍ ରେ ମଧ୍ୟ ହିତାଧିକାରୀ ମାନେ ଆବେଦନ କରି ପାରିବେ। ଦରଖାସ୍ତ ଗୁଡ଼ିକୁ ଯାଞ୍ଚ କରାଯାଇ ନୂଆ ହିତାଧିକାରୀ ତାଲିକା ପ୍ରକାଶ କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଉଭୟ କେନ୍ଦ୍ର ଓ ରାଜ୍ୟ ପେନସନ ପାଇଁ ଏହା ଲାଗୁ ହେଲା। ଏ ନେଇ ବିଭାଗୀୟ ସଚିବଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖାଯାଇଛି। କରୋନା ମହାମାରୀ ପାଇଁ ଘରୁ ନ ବାହାରି ଘରେ ବସି ସୁରକ୍ଷିତ ଭାବେ ଆବେଦନ କରିବାକୁ ଏହା ଆରମ୍ଭ କରାଯାଇଛି। ଆବଶ୍ୟକ ସ୍ଥଳେ ଜନସେବା କେନ୍ଦ୍ର ଆବେଦନ କରିବାରେ ସାହାଯ୍ୟ କରିବେ।

ଓଡ଼ିଶାରେ ମଧୁବାବୁ ପେନସନ ଯୋଜନାରେ 28 ଲକ୍ଷ ହିତାଧିକାରୀ ଥିବାବେଳେ ଜାତୀୟ ସାମାଜିକ ପେନସନ ଯୋଜନାରେ 20 ଲକ୍ଷ ହିତାଧିକାରୀ ଅଛନ୍ତି।