ଭୁବନେଶ୍ୱର : ଚଳିତବର୍ଷର ଆଂଶିକ ସୂର୍ଯ୍ୟପରାଗ ଓଡ଼ିଶାରେ ଆଂଶିକ ଦୃଶ୍ୟମାନ ହୋଇଛି। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇଥିବା ସୂର୍ଯ୍ୟପରାଗ ଅପରାହ୍ନ ୨ଟା ୯ ମିନିଟ୍ ୨୫ ସେକେଣ୍ଡରେ ଶେଷ ହୋଇଛି। ଏହି ସମୟରେ ରାଜଧାନୀରେ ଆକାଶ ମେଘାଛନ୍ନ ଥିବାରୁ ଲୋକେ ଏହାକୁ ସଠିକ୍ ଭାବେ ଦେଖି ପାରି ନାହାନ୍ତି। କିନ୍ତୁ ଓଡ଼ିଶାର ଅନ୍ୟ ସ୍ଥାନରେ ଏହା ପରିଲକ୍ଷିତ ହୋଇଛି। ଆଂଶିକ ସୂର୍ଯ୍ୟପରାଗ କିଭଳି ଦେଖା ଯାଉଥିଲା | ପରାଗବେଳେ ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେଇଥିଲା। ଏହାଛଡା ଦେଶର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରଙ୍ଗରେ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି। ଚଳିତବର୍ଷ ଡିସେମ୍ବର ୧୪ ରେ ହେବାକୁଥିବା ସୂର୍ଯ୍ୟପରାଗ ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ। ସେହିପରି ଜୁଲାଇ ୫ ତାରିଖ ଓ ନଭେମ୍ବର ୩୦ରେ ମଧ୍ୟ ଉପଛାୟା ଚନ୍ଦ୍ର ଗ୍ରହଣ ହେବ। ଏହା ମଧ୍ୟ ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ।