ନୂଆଦିଲ୍ଲୀ : ଦେଶର ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନରେ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିଜେପି ୮ଟି ଆସନରେ ଜିତିଛି। ପୂର୍ବରୁ ୩ଜଣ ଜିତିଥିଲେ। ଏହାକୁ ମିଶାଇ ରାଜ୍ୟସଭାରେ ବିଜେପି ନେତୃତ୍ଵାଧୀନ ଏନଡିଏର ସଦସ୍ୟ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି। ୨୪୫ଟି ଆସନ ବିସିଷ୍ଟ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୧୨୩। ସଦ୍ୟ ସମାପ୍ତ ନିର୍ବାଚନ ପରେ ଏନଡିଏର ସଦସ୍ୟ ସଂଖ୍ୟା ରାଜ୍ୟସଭାରେ ୧୦୦ ଅତିକ୍ରମ କରିଥିବା ବେଳେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏର ୬୫ ସଦସ୍ୟ ରହିଛନ୍ତି। ଏହାଛଡା ଏନଡିଏକୁ ବିଜେଡି, ଏଆଇଏଡିଏମକେ ଓ ୱାଇଏସଆର କଂଗ୍ରେସ ଭଳି ଦଳ ସମର୍ଥନ କରୁଛନ୍ତି। ତେଣୁ ରାଜ୍ୟସଭାରେ ଏନଡିଏକୁ ଆଉ ସମସ୍ୟା ହେବନାହିଁ। ଖବର ଅନୁଯାୟୀ ଗୁଜୁରାଟରେ ବିଜେପିର ନରହରି ଆମିନ, ଅଭୟ ଭରଦ୍ଵାଜ, ରାମିଲାବେନ ବାରା ଓ କଂଗ୍ରେସର ଶକ୍ତିସିଂହ ଗୋହିଲ ଜିତିଛନ୍ତି। ସେହିପରି ରାଜସ୍ଥାନରେ କଂଗ୍ରେସ ପ୍ରାର୍ଥୀ କେସି ଭେନୁଗୋପାଲ ଓ ନୀରଜ ଡଙ୍ଗି ବିଜୟୀ ହୋଇଥିବା ବେଳେ ବିଜେପିର ରାଜେନ୍ଦ୍ର ଗେହଲୋଟ୍ ଜିତିଛନ୍ତି। ମଧ୍ୟପ୍ରଦେଶରୁ ବିଜେପିର ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁମେର ସିଂ ସୋଲାଙ୍କି ଓ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ବିଜୟୀ ହୋଇଛନ୍ତି। ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଓ ବିଜେପିର ଦୀପକ ପ୍ରକାଶ ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।