ଲଦାଖ : ନିୟନ୍ତ୍ରଣ ରେଖାରେ ମୁତୟନ ଯବାନଙ୍କୁ ମିଳିବ ସୁରକ୍ଷାକାରୀ ସୁଟ୍ ଓ ବାଡ଼ି

ନୂଆଦିଲ୍ଲୀ : ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ମୁତୟନ ଭାରତୀୟ ଯବାନମାନଙ୍କୁ ସୁରକ୍ଷାକାରୀ ପୋଷାକ ଓ ବାଡ଼ି ଯୋଗାଇ ଦିଆଯିବ। ଖୁବ୍‌ ଶୀଘ୍ର ପ୍ରଦାନ କରାଯିବ ୫୦୦ ସେଟ୍ ଶରୀର ସୁରକ୍ଷା ପ୍ରଦାନକାରୀ ସୁଟ୍। ସମୁଦାୟ ୨୦୦୦ ସେଟ୍ ପୋଷାକ ଓ ବାଡ଼ି ପାଇଁ ଭାରତୀୟ ସେନାବାହିନୀ ପକ୍ଷରୁ ବରାଦ ଦିଆଯାଇଥିବା ଦୁଇଜଣ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଭାରତୀୟ ଯବାନଙ୍କୁ ଚୀନ୍ ସୈନିକମାନେ ପଥର, ଲୁହାଛଡ଼ ଓ କଣ୍ଟାପିଟା ଠେଙ୍ଗା ବ୍ୟବହାର କରି ଆହତ କରିଦେଉଛନ୍ତି। ଗଲ୍‌ୱାନ୍‌ ଉପତ୍ୟକା ଅଞ୍ଚଳରେ ସୋମବାର ରାତିରେ ସେମାନେ ସାତଘଣ୍ଟା କାଳ ସଙ୍ଘର୍ଷ କରି କୋଡ଼ିଏ ଜଣ ଭାରତୀୟ ସୈନିକଙ୍କ ପ୍ରାଣ ନେଆଇଥିବା ବେଳେ ଅଠରଜଣଙ୍କୁ ଆହତ କରିଥିଲେ। ଏଭଳି ଆକ୍ରମଣର ମୁକାବିଲା ପାଇଁ ହାଲ୍‌କା ହେଲ୍‌ମେଟ୍ ଥିବା ବଡି ପ୍ରୋଟେକ୍ସନ୍ ସୁଟ୍ ପାଇଁ ମୁମ୍ବାଇର ଏକ କମ୍ପାନିକୁ ବରାଦ ଦିଆଯାଇଛି। ମେ ୫ ଓ ୬ ତାରିଖରେ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ପଟ କୂଳରେ ଚୀନ୍ ସୈନିକଙ୍କ ସହ ଧସ୍ତାଧସ୍ତିରେ ଜଣେ କର୍ଣ୍ଣେଲ୍‌ଙ୍କ ସମେତ ଅନେକ ଭାରତୀୟ ଯବାନ ଆହତ ହୋଇଥିଲେ। ଏହି ଘଟଣା ପରେ ପୋଷାକ ପାଇଁ ସମ୍ପୃକ୍ତ କମ୍ପାନିକୁ ବରାଦ ଦିଆଯାଥିବା ଅଧିକାରୀ ଦ୍ୱୟ କହିଛନ୍ତି।