ଋଷିଆରୁ ୩୩ଟି ଲଢୁଆ ବିମାନ କିଣିବ ଭାରତ ।

ନୂଆଦିଲ୍ଲୀ : ଭାରତ-ଚୀନ ବିବାଦ ଚରମ ସୀମାରେ ପହଞ୍ଚିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଋଷିଆଠାରୁ ୧୨ଟି ସୁଖୋଇ ଓ ୨୧ଟି ମିଗ-୨୯ ଖରିଦ ପାଇଁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି। ଏସବୁ ଲଢୁଆ ବିମାନ ତୁରନ୍ତ କିଣିବା ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏ ବାବଦ ପ୍ରାୟ ୫ ହଜାର କୋଟିର ପ୍ରସ୍ତାବକୁ ବାୟୁସେନା ରତିରକ୍ଷା ମନ୍ତ୍ରାଳୟକୁ ପଠାଇଛି। ଆସନ୍ତା ସପ୍ତାହରେ ମନ୍ତ୍ରାଳୟ ଏ ସଂପର୍କରେ ନିଷ୍ପତ୍ତି ନେବ।

ସେହିପରି ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ଫ୍ରାନ୍ସ ସରକାରଙ୍କ ସହ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲେ। ଆସନ୍ତା ଜୁଲାଇ ମାସରେ ରାଫେଲ ବିମାନ ଭାରତରେ ପହଞ୍ଚିବ। ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ବାୟୁସେନା ପାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ। ଏହି ଯୁଦ୍ଧ ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବା ଆଶା କରାଯାଉଛି।