ବୀରମହାରାଜପୁର- (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ମାହେଶ୍ୱରୀ ପୀଠରେ ଧୁମଧାମରେ ସହକାରେ ମହାଷ୍ଟମୀ ପୂଜା ପାଳିତ ହୋଇଯାଇଛି। ଏଥି ସହ ଆଶ୍ଵିନ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିରୁ ବିଭିନ୍ନ ମାହେଶ୍ୱରୀ ପୀଠରେ ଆରମ୍ଭ ହୋଇଥିବା ଷୋହଳ ପୂଜା ଉତ୍ସବ ଆଜି ଷୋଡ଼ଶ ତଥା ଅନ୍ତିମ ଦିନରେ ପହଞ୍ଚିଛି। ଷୋଡଶ ପୂଜାର ଅନ୍ତିମ ଦିବସ ଅବସରରେ ଗତକାଲି ସନ୍ଧ୍ୟାରେ ଏଠାକାର ବିଭିନ୍ନ ଗ୍ରାମରେ ଦେବୀ ମାହେଶ୍ୱରୀ ଙ୍କ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ସ୍ନାନ ପାଇଁ ମହାନଦୀ କୁ ଯାଇଥିଲେ । ଏହି ସମୟରେ ପାରମ୍ପରିକ ବାଡିଖେଳ, ପ୍ରଦର୍ଶନ ସାଙ୍ଗକୁ ଢୋଲ,ନିଶାନ, ମହୁରୀ,ଘଣ୍ଟ ଓ ହରିବୋଲ ହୁଳହୁଳି ଧ୍ୱନିରେ ବିଭିନ୍ନ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଦେବୀ ମାହେଶ୍ୱରୀ ଙ୍କ ଯାତ୍ରା ସମୟରେ ଉକ୍ତ ମାନେ ଦ୍ୱାରେ ଦ୍ୱାରେ ଜଳପୂର୍ଣ୍ଣ ଗରା ଥୋଇ ସ୍ବାଗତ ଓ ପୂଜାର୍ଚ୍ଚନା କରିଥିଲେ। ପରମ୍ପରା ମତେ ସ୍ଥାନୀୟ ଉଫୁଲା, ହିଲୁଙ୍ଗ, ମେଣ୍ଡାମାଳ,ଷଣ୍ଢା ଆଦି ଗ୍ରାମର ଦେବୀ ମାହେଶ୍ୱରୀ ବୀରମହାରାଜପୁର ମୁଖ୍ୟ ଛକ ଦେଇ ମହାନଦୀ କୁ ଶୋଭାଯାତ୍ରା ରେ ଯାଇଥିଲେ। ଏହା ଦେଖିବାକୁ ବୀରମହାରାଜପୁର ଛକରେ ବିପୁଳ ଜନସମାଗମ ହୋଇଥିଲା। ଯାତ୍ରା ସମୟରେ ପାରମ୍ପରିକ ଢୋଲ, ନିଶାନ ସହ ବିଭିନ୍ନ ଗ୍ରାମର ବାଡି ଖେଳ ଘଣ୍ଟ ବାଦ୍ୟ ଓ ଦୁଲଦୁଲି ବାଜା ଆଦି ପରିବେଷିତ ହୋଇଥିଲା । ଦେବୀ ଙ୍କ ସ୍ନାନ ଯାତ୍ରା ପରେ ପରେ ବିଭିନ୍ନ ଗ୍ରାମରେ ମହିଳା ତଥା ଝିଅ ବୋହୁ ମାନେ ନିଜ ନିଜ ଭାଇର ଶୁଭ ମନାସି ପାରମ୍ପରିକ ଭାଇଜିଉଁତିଆ ବ୍ରତ ପାଳନ ହୋଇଛି। ଉପଖଣ୍ଡ ଅନ୍ତର୍ଗତ ଉଫୁଲା, କାନପୁର,ମେଣ୍ଡାମାଳ,ହିଲୁଙ୍ଗ,ବାଗବର, ଷଣ୍ଢା ଜଟେସିଂହା,ଦେଉଳମୁଣ୍ଡା,କମିରା,ଲଖନି, କମଳପୁର,ଟେଭାପଦର,ଗଉଡଗାଡ, ଆମ୍ବସରଭଟା,ପିତାମହୁଲ, ଗୋବିନ୍ଦପୁର, ଭାଲିଆପଦର, ବର୍ଡାକଟା ଓ ପୁରୁଷୋତ୍ତମ ପାଲି ଆଦି ବିଭିନ୍ନ ଗ୍ରାମରେ ଦେବୀ ମାହେଶ୍ୱରୀ ଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଛି।