ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶ୍ରାବଣ ମାସ ଶେଷ ସୋମବାରରେ ମିନାଝୋଲା ସ୍ଥିତ ପ୍ରସିଦ୍ଧ ଶୈବପୀଠ ରେ ମହାଦେବଙ୍କ ଦର୍ଶନ କରିବାକୁ ଯାଇ ଆଉ ଫେରିଲେନି ଦୁଇ ପରିବାରର ପୁଅ,ଝିଅ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଶ୍ରୀରାମପୁର କଲୋନୀସାହିର କୃଷ୍ଣ ବଡ଼ସେଠ୍ ଓ ଟିକାରି ଗାଁର ମିଥୁନ ବଡ଼ନାୟକଙ୍କ ପରିବାର ଶ୍ରାବଣ ମାସ ଶେଷ ସୋମବାରରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ମିନାଝୋଲାରେ ମହାଦେବଙ୍କ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ପୂର୍ବରୁ ନିକଟସ୍ଥ ବଂଶଧାରା ନଦୀର ତ୍ରୀବେଣି ସଂଗମରେ ଥିବା ଗୌରୀ କୁଣ୍ଡରେ କୃଷ୍ଣ ବଡ଼ସେଠ୍ ଙ୍କ ନାବାଳିକା ଝିଅ ଓ ମିଥୁନ ବଡ଼ନାୟକଙ୍କ ନାବାଳକ ପୁଅ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନଦୀରେ ପଶି ଉଭୟ ନାବାଳକ ପୁଅ ଓ ନାବାଳିକା ଝିଅଙ୍କୁ ଖୋଜୁଥିବା ବେଳେ ଏସନ୍ଧ୍ୟା ସୁଦ୍ଧା ଉଭୟଙ୍କ କୌଣସି ସନ୍ଧାନ ମିଳିନଥିବା ଯୋଗୁଁ ପୁଣି ମଙ୍ଗଳ ବାର ଦିନ ଖୋଜୁଥିବା ଜଣାପଡ଼ିଛି । ସେପଟେ ଏଭଳି ଦୁଃଖଦ ଖବର ଶୁଣି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ସମ୍ପୃକ୍ତ ସ୍ଥାନରେ ଏଭଳି ଅଘଟଣ ପୂର୍ବରୁ ବାରମ୍ବାର ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ଏଦିଗରେ କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।