ଢେଙ୍କାନାଳ : ୦୩ /୦୮(ଶୁଭମ ପାଣି) – ଆଜି ପୂର୍ବାହ୍ନରେ ଢେଙ୍କାନାଳ ସଦର ବ୍ଲକ ସ୍ଥିତ ସଦେଇବରେଣୀ କଳାକୃତି ଗ୍ରାମର ସଭାଗୃହରେ ଜିଲ୍ଲାସ୍ତରୀୟ କୃଷି ବିଭାଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ବୈଠକର ଅଧ୍ୟକ୍ଷତା କରି କହିଛନ୍ତି ଯେ, ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି କୃଷକ ମାନେ କୃଷି କାର୍ଯ୍ୟ କଲେ ଅଧିକ ଲାଭବାନ ହେବେ । ଏହି ଦିଗରେ କୃଷକ ମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ଦାୟିତ୍ଵ କୃଷି ବିଭାଗର । ସେମାନେ ଏଥିପ୍ରତି ଯତ୍ନବାନ ହେବା ଉଚିତ । କୃଷି ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ମାନ ରହିଛି । ସେ ସବୁ ବିଷୟରେ ଚାଷୀ ମାନଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ଆବଶ୍ୟକ । ଏହାସହିତ ଚାଷ କ୍ଷେତ୍ରରେ ମିଶନ ଶକ୍ତି ମହିଳା ମାନେ କିଭଳି ଅଧିକ ଅଂଶୀଦାରୀ ହୋଇପାରିବେ ସେ ଦିଗରେ କୃଷି ବିଭାଗ ଯତ୍ନବାନ ହେବା ଦରକାର ।
ବୈଠକରେ କୃଷି ବିଭାଗ ତରଫରୁ ବିଭଗର ସଫଳତା କାର୍ଯ୍ୟମାନ ପାୱାର ପଏଣ୍ଟ ମାଧ୍ୟମରେ ପୂର୍ବଶିତ କରାଯାଇଥିଲା। ଏହାସହିତ ଆଗାମୀ ଦିନ ମାନଙ୍କରେ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଜ୍ୟୋତିଦିପ୍ତ ପଟ୍ଟନାୟକ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର(ରାଜସ୍ବ), କୃଷି ବିଭାଗର ଅଧିକାରୀ ଗଣ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।