ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନଭୁକ୍ତ କରିବାକୁ ଦାବୀ

ଢେଙ୍କାନାଳ , ୨୭/୦୧(ଶୁଭମ ପାଣି) – ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ବେସରକାରୀ କଲେଜର ଅଣଅନୁଦାନଭୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ତୁରନ୍ତ ଅନୁଦାନଭୁକ୍ତ କରିବାକୁ ଦାବୀ କରିଛି ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ଆଜି ଏ ନେଇ ସଂଘର ଢେଙ୍କାନାଳ ଜିଲ୍ଲାଶାଖା ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତେବେ ସଂଘ ପକ୍ଷରୁ ସମସ୍ତ ଅଣଅନୁଦାନଭୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନଭୁକ୍ତ କରିବାକୁ ଦାବୀ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖ୍ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ୨୦୨୨ ନଭେମ୍ବର ୨୩ ତାରିଖରେ ୨୦୦୬ ଜୁନ୍‌ ୧ ତାରିଖରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ରାଜ୍ୟରେ ଖୋଲିଥିବା ଅଣଅନୁଦାନ ପ୍ରାପ୍ତ କଲେଜ୍ ଓ ଏହି ଅବଧୂ ମଧ୍ୟରେ ବିଭିନ୍ନ କଲେଜ୍‌ରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗାଯାଇଥିଲା । ଏହାକୁ ବିରୋଧ କରି ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ସମୟସୀମାକୁ ୨୦୧୩ ବଦଳରେ ୨୦୨୩ ପର୍ଯ୍ୟନ୍ତ ବଦ୍ଧିତ କରିବାକୁ ଦାବୀ କରାଯାଇଛି । ଯଦ୍ୱାରା ଦୀର୍ଘଦିନ ହେଲା ନିଷ୍ଠାର ସହିତ କାର୍ଯ୍ୟକରି ଆସୁଥିବା ଅଧ୍ୟାପକ ଓ କର୍ମଚାରୀମାନେ ଉପକୃତ ହୋଇପାରିବେ ବୋଲି ଢେଙ୍କାନାଳ ଶାଖା ପକ୍ଷରୁ କୁହାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ କାର୍ଯ୍ୟରତ କମ୍ପ୍ୟୁଟର ଅପରେଟର୍‌ , ପ୍ରାକ୍ଟିକାଲ୍ ହଲ୍‌ର ଆଟେଣ୍ଡାଙ୍କୁ ମଧ୍ୟ ସାମିଲ କରିବାକୁ ସଂଘପକ୍ଷରୁ ଦାବୀ କରାଯାଇଛି । ସଂଘର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ମାଝୀ ହିନ୍ଦୋଳ ଖଣ୍ଡ ସଂଯୋଜକ ସତ୍ୟବ୍ରତ ପାଲ , ଭୂବନ ଖଣ୍ଡ ସଂଯୋଜକ ଶୁଧାଂଶୁ ଶେଖର ଓଝା , କାମାକ୍ଷାନଗର ଖଣ୍ଡ ସଂଯୋଜକ ସତ୍ୟାନନ୍ଦ ସାହୁ , ପରଜଙ୍ଗ ଖଣ୍ଡ ସଂଯୋଜକ ସୁନିଲ୍ କୁମାର ଦାସ , କାମାକ୍ଷାନଗର ଖଣ୍ଡ ସଂଯୋଜକ ସୁପର୍ଣ୍ଣା ପରିଡାଙ୍କ ନେତୃତ୍ବରେ ଏହି ଦାବୀପତ୍ର ଜିଲ୍ଲାପାଳ ସରୋଜ କୁମାର ସେଠୀ ମହୋଦୟଙ୍କୁ ପ୍ରଦାନ କରିଥିଲେ ।