ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ଜୋର୍ ଧରିଲା ଅପରେସନ୍ ନୀଳ ଜହର । ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍ । ପୁଣି ନଷ୍ଟ ହେଲା ୧୪ କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ଅଧିନସ୍ଥ ମହାସିଙ୍ଗି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୪୫ ଏକର ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଗଞ୍ଜେଇ ବାଡ଼କୁ ନଷ୍ଟ କରିଛି ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍ । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅଞ୍ଚଳରେ ଜାରି ରହିଛି ଅପରେସନ ନୀଳ ଜହର। ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୮୨୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଗଲାଣି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୮୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣରେ ରୋକ୍ ଲଗାଇବାକୁ ଏହି ପଦକ୍ଷେପ ଗ୍ରହଣ କରିଛି କନ୍ଧମାଳ ପୋଲିସ୍ । ଆଗାମୀ ଦିନରେ ମଧ୍ୟ ବାଲିଗୁଡ଼ାର ଥାନା ଅଞ୍ଚଳରେ ଏହି ଅପରେସନ୍ ଜାରି ରହିବ ଏବଂ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।