କୌପିନଧାରୀ ମହିମା ସମାଜ ଭକ୍ତଙ୍କ ପ୍ରତିବାଦ ଭଜନ ଗାନ କରି ବିକ୍ଷୋଭ

ଢେଙ୍କାନାଳ:(ଶୁଭମ ପାଣି) : ଯୋରନ୍ଦାସ୍ଥିତ ମହିମାଗାଦି ତୃତୀୟ ବେଢାରୁ ଐତିହ୍ୟ ମଠ, ମନ୍ଦିର ଉଚ୍ଛେଦ ହେବାପରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏହାକୁ ନେଇ ଆଜି ମହିମା ଭକ୍ତମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭଜନ ଗାନ କରି ଅଲେଖ ମହିମା ଧ୍ୱନି ଦେଇ ପ୍ରତିବାଦ କରିଛନ୍ତି । ସେମାନେ କହିଛନ୍ତି, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ୧୯୭୧ ଓ ୨୦୧୮ର ରାୟ ପରିପ୍ରେକ୍ଷୀରେ କୌପିନଧାରୀ ମହିମା ସମାଜକୁ ନିଜ ସମ୍ପତିଗତ ଓ ନୀତିକାନ୍ତିଗତ ଅଧିକାରକୁ ସାବ୍ୟସ୍ତ କରିବା ଦିଗରେ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦତ ସ୍ମାରକପତ୍ରରେ ଶତାଧିକ ମହିଳା ଓ ପୁରୁଷ ମହିମାଭକ୍ତ ଦାବୀ କରିଛନ୍ତି । ଶୁକ୍ରବାର ମଧ୍ୟାହ୍ନରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି କୌପିନଧାରୀ ମହିମା ସମାଜର ମହାନିତ୍ୟ ସାଧୁଭକ୍ତ ମଣ୍ଡଳୀ ପକ୍ଷରୁ ସଂପାଦକ ଶତୃଘନ ସାହୁ, ସହ-ସଂପାଦକ ପ୍ରଶାନ୍ତ ମହାପାତ୍ର, ଉପଦେଷ୍ଟା ବିଭୁତି ଭୂଷଣ ବିଶ୍ୱାଳ, ବରିଷ୍ଠ ସଭ୍ୟ ମଙ୍ଗରାଜ ସାହୁ ଓ ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦୁ୍ୟମ୍ନ ରଥ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଲିଖିତ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ । ନ୍ୟାୟାଳୟ ରାୟ ପରିପ୍ରେକ୍ଷୀରେ ମହିମା ସାଧୁ ତଥା ଦ୍ୱିତୀୟ ମହିମାସ୍ୱାମୀ ଭାବେ ଖ୍ୟାତ ବଡକୃପାସିନ୍ଧୁ ବାବାଙ୍କ ଟୁଙ୍ଗୀ, ବତୀ ମନ୍ଦିର ଓ ଧୂନୀ ମନ୍ଦିରକୁ ଶୂନ୍ୟମନ୍ଦିର ବେଢା ପରିସରରେ ସସମ୍ମାନେ ସଂସ୍ଥାପିତ କରାଯାଉ ଏବଂ ମହିମା ସ୍ୱାମୀଙ୍କୁ ଭୂ-ସଂପତିର ରେକର୍ଡ ସଂଶୋଧନ କରାଯାଇ ସତ୍ୱଲିପିରେ ଉଭୟ ପକ୍ଷର ନାମ ଦରଜ କରାଯାଉ । ମହିମାଗାଦି ଯୋରନ୍ଦାସ୍ଥିତ ଶୂନ୍ୟ ମନ୍ଦିରରେ ଉଭୟ ଗୋଷ୍ଠୀ ସମାନ ଭାବେ ନିତୀ କରିବା ଉପରେ କୌପିନଧାରୀ ମହିମାସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ମହିମାଗାଦି ଯୋରନ୍ଦାରେ କାର୍ଯ୍ୟକାରୀ ହେବାକୁ ଥିବା ସମସ୍ତ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟରେ ଉଭୟ ସମାଜର ମତ ନିଆଯାଇ କାର୍ଯ୍ୟକାରୀ କରାଯାଉ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।