ରାୟଗଡ:୧୧/୧୦ (ପ୍ରଫୁଲ୍ଲ କୁମାର ବେହେରା): ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ବହୁ ଆଡମ୍ବରରେ ପାଳନ ହେଉଛି I ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ରାୟଗଡ ଠାରେ ପାଳନ କରାଯାଇଛି l ଏଥିରେ ଜିଲ୍ଲାପାଳ ସ୍ୱଧା ଦେଵ ସିଂ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବାରିହା, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷl ଅର୍ଚ୍ଚନା ପଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୂଖ ଯୋଗାଦନ କରି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ l ସେହିପରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପ୍ରତ୍ୟେକ ଗ୍ରାମରେ ଏହି ଦିବସ ପାଳନ କରାଯାଇଥିଲା I ଜିଲ୍ଲାର ସମସ୍ତ ୧୯୪୭ଟି ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକା ମାନେ ଯୋଗ ଦେଇ ଏହି ଦିବସଟିକୁ ପାଳନ କରିଥିଲେ I କିଶୋରୀ ବାଳିକାମାନେ ନିଜ ନିଜ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ମିଟିଂ, ରାଲି, ଚିତ୍ର, ଗୀତ, ନାଚ ମାଧ୍ୟମରେ ଏହି ଦିନଟିକୁ ହସଖୁସିରେ ପାଳନ କରିଥିଲେ I
ଆଜିର ଆଲୋଚନା ସଭାରେ ବିଭିନ୍ନ କିଶୋରୀ ମାନେ ଯୋଗ ଦେଇ ଭବିଷ୍ୟତରେ କିଏ ଶିକ୍ଷୟତ୍ରୀ ହେବାର ସ୍ୱପ୍ନ ରହିଛି ବୋଲି କହିଥିଲା ବେଳେ କିଏ ଡାକ୍ତର ହୋଇ ନିଜ ଅଂଚଳର ଲୋକ ମାନଂକର ସେବା କରିବେ ବୋଲି କହିଥିଲେ ତ କିଏ ଜଣେ ପୋଲିସ ହୋଇ ଝିଅ ମାନଙ୍କୁ ସୁରକ୍ଷା ଦେବେ ବୋଲି କହିଥିଲେ I କିଏ କିଏ ମଧ୍ୟ ବଡ ହେଲେ ନିଜ ପରିବାରକୁ ସହଯୋଗ କରିବେ ବୋଲି କହିଥିଲେ ଏବଂ ନିଜ ଅଂଚଳର ପିଲାମାନେ କିପରି ନିୟମିତ ବିଦ୍ୟାଳୟକୁ ଯାଇ ପାଠ ପଢିବେ ସେଥିପାଇ ଉଭୟ ପରିବାର, ଶିକ୍ଷକ ଓ ଗ୍ରାମବାସୀ ଦାୟିତ୍ୱ ନେବା ଆବଶ୍ୟକ ବୋଲି କିଶୋରୀ ମାନେ କହିଥିଲେ I ଏହି ଅବସରରେ କିଶୋରୀ ମାନଙ୍କର ଶିକ୍ଷା ପାଇଁ ଥିବା ସୁବିଧା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା I ପୁଅ ମାନଙ୍କର ତୁଳନାରେ ଝିଅ ସଂଖ୍ୟା କମିଯାଉଥିବାର ଘଟଣା ଗୁଡିକ ପ୍ରତି ସମ୍ବେଦନଶୀଳ ହୋଇ ଝିଅ ମାନଙ୍କର ସମାଜ ପ୍ରତି ଯେଉଁ ସବୁ ଅବଦାନ ରହିଛି ସେଗୁଡିକ ବିଷୟରେ କିଶୋରୀ ମାନେ ଆଲୋଚନାରେ ମତ ଦେଇ ଥିଲେ I କମ୍ ବୟସରେ ବାହାଘର ହୋଇଗଲେ ଗୋଟିଏ କିଶୋରୀ ତାର ସ୍ବପ୍ନ ପୂରଣ କରି ପାରେ ନାହିଁ ବରଂ ପରିବାରର ବୋଝ ବୋହି ସେ ଆହୁରି ଦୁର୍ବଳ ହୋଇପଡେ। ଆଜି ଆମ ପାଖରେ ରାଷ୍ଟ୍ରପତି, ବୈଜ୍ଞାନିକ, ଡାକ୍ତର, ବିଚାରପତି, ଜିଲ୍ଲାପାଳ, ବିଡିଓ, ଅଙ୍ଗନବାଡି କର୍ମୀ ଭଳି ଅନେକ ଉଦାହରଣ ରହିଛି। ତେଣୁ ସମାଜର ପ୍ରତ୍ଯେକ ସ୍ତରରେ ଏହି ବାର୍ତ୍ତା ପହଞ୍ଚାଇବା ଆବଶ୍ଯକ ବୋଲି ମତ ପ୍ରକାଶ ପାଇଥିଲା।
ଏହି କାର୍ଯ୍ୟକ୍ରମ ଗୁଡିକୁ ଗ୍ରାମ ସ୍ତରରେ ଅଂଗନବାଡି କର୍ମୀ, ସୁପରଭାଇଜର, ଆଶା କର୍ମୀ ମାନେ ଆୟୋଜନ କରିଥିଲା ବେଳେ ବ୍ଲକ ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନେ ପରିଚାଳନା କରିଥିଲେ I ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ଆକ୍ସନ ଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ପ୍ରମୁଖ ତଦାରଖ କରିଥିଲେ I