ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଲେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ।ଆଜି ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ । ତେବେ ଦୀର୍ଘଦିନ ହେବ ଦଳରେ ଅସନ୍ତୁଷ୍ଠ ଥିବା ଆଜାଦ ଆଜି ୫ ପୃଷ୍ଠା ସମ୍ବଳିତ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । କିଛିଦିନ ପୂର୍ବରୁ ଜମ୍ମୁ କାଶ୍ମୀରର ପ୍ରଚାର କମିଟି ଅଧକ୍ଷ ପଦରୁ ସେ ଇସ୍ତଫା ଦେଇଥିଲେ। ଏହାପରେ ସେ ଦଳ ଛାଡ଼ିବା ନେଇ ଜୋରଦାର ଚର୍ଚ୍ଚାକୁ ହେଉଥିଲା। ଆଜି ଦଳରୁ ଇସ୍ତଫା ଦେଇ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଆଜାଦ୍। ଏହାସହ ଇସ୍ତଫାପତ୍ରରେ ନିଜର ଅସନ୍ତୋଷ ବଖାଣି ଛନ୍ତି ଗୁଲାମ୍ ନବୀ । ନିଜ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଆଜାଦ । ସେ କହିଛନ୍ତି ଯେ, ରାହୁଲ ଏବେ ଅନୁଭବହୀନ ଲୋକଙ୍କ ଗହଣରେ ସମୟ କାଟୁଛନ୍ତି । ଏପରିକି ଦଳରେ ବରିଷ୍ଠ ନେତାଙ୍କୁ ଦଳରେ ଅଣଦେଖା କରାଯାଉଛି ବୋଲି ସାଂଘାତିକ ଅଭିଯୋଗ ଆଣିବା ସହ କଂଗ୍ରେସର ହାତ ଛାଡିଛନ୍ତି ଗୁଲାମନବୀ।
ତେବେ କାଶ୍ମୀର ରାଜନୀତିରେ ଗୁଲାମନବୀ କଂଗ୍ରେସର ବଡ ଚେହେରା ଥିଲେ । ଏପରିକି ଜାତୀୟ ରାଜନୀତିରେ ମଧ୍ୟ ଗୁଲାମନବୀଙ୍କର ଦବଦବା ଯଥେଷ୍ଟ ଅଧିକ ଥିଲା । ଅନେକଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିଥିବା ଗୁଲାମ ପୂର୍ବରୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓ ରାଜ୍ୟସଭାରେ ବିରୋଧୀଦଳ ନେତା ମଧ୍ୟ ରହିଛନ୍ତି । ତେବେ ଦୀର୍ଘ ଦିନ ହେବ କଂଗ୍ରେସରେ ନାରାଜ ଥିବା ଗୁଲାମନବୀ ଆଜି ଇସ୍ତଫା ଦେଇଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ ଗୁଲାମନବୀଙ୍କୁ ବହୁବାର ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନଥିଲା । ଆଉ ଶେଷରେ କଂଗ୍ରେସର ହାତ ଛାଡିଛନ୍ତି ଗୁଲାମନବୀ । ତାଙ୍କର ଇସ୍ତଫା ଦଳର ଏକ ବହୁତ୍ ବଡ଼ କ୍ଷତି ରୂପେ ଆକଳନ କରାଯାଉଛି।