ଗଞ୍ଜାମ : ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଲେ। ଅପରେସନ ପରେ ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ୍ କଢାଯାଇଛି ।
ବ୍ୟକ୍ତିଜଣକ ଗୁଜୁରାଟର ସୁରଟକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ। ପ୍ରାୟ ୧୦ ଦିନ ପୂର୍ବରୁ, ସେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବାବେଳେ ସେମାନେ ନିଶାସକ୍ତ ଅବସ୍ଥାରେ ତାଙ୍କ ମଳଦ୍ବାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିଦେଇଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ସୁରଟ ଛାଡି ନିଜ ଗାଁକୁ ଫେରି ଆସିଥିଲେ। ପରେ ପେଟ ଓ ଗୋଡ଼ ଫୁଲିବାରେ ଲାଗିଥିଲା ।
ପୀଡ଼ା ଅସହ୍ୟ ହେବା ପରେ ସେ ଏମକେସିଜି ଡାକ୍ତର ଟିମ ସହ ପରାମର୍ଶ କରିବା ସହ ଘଟଣା ସଂପର୍କରେ କହିଥିଲେ। ଏକ୍ସରେ ପରେ ଏମକେସିଜିର ଡାକ୍ତରୀ ଟିମ୍ ଗତ ୧୯ ତାରିଖରେ ତାଙ୍କ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରୀ ଟିମ୍ ପ୍ରଥମେ ମଳଦ୍ବାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହେବା ପରେ ପେଟ ଅପରେସନ କରି ତାହାକୁ ବାହାର କରିଥିଲେ ।