ଖୋର୍ଦ୍ଧା: ନିୟମ ଉଲଙ୍ଘନ କରି ମୋବାଇଲ୍ ଫାଇନାନ୍ସ ନାମରେ ଗ୍ରାହକଙ୍କୁ ମୋବାଇଲ୍ ବଦଳରେ ନଗଦ ଟଙ୍କା ଦେବାର ଲୋଭ ଦେଖାଇ ୪୦ରୁ ୫୦ଲକ୍ଷ ଟଙ୍କା ବ୍ୟାଙ୍କକୁ ଠକି ଥିବା ଅଭିଯୋଗ ହୋଇଛି ଓ ଗ୍ରାହକଙ୍କୁ ଟଙ୍କା କିମ୍ବା ମୋବାଇଲ୍ ନଦେବା ମାମଲାରେ ପୁଲିସ ୬ଜଣଙ୍କ ନାମରେ ମାମଲା ରୁଜୁ ହେବା ସହିତ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ ଦୋକାନ ମାଲିକ ସମେତ ୩ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ଏକ ସଂଗଠିତ ଗୋଷ୍ଠୀ ଓ ୨୫ରୁ ଉଦ୍ଧ୍ୱର୍ ସଦସ୍ୟ ରହିଥିବା ଜଣାଯାଇଛି ।
ପୁଲିସ ଉକ୍ତ ଠକେଇ ଘଟଣାରେ ଦୋକାନ ମାଲିକ ଦିପୁ ସମେତ ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ୬ଜଣ ଅଭିଯୁକ୍ତ ହେଲେ ମୁକୁନ୍ଦପ୍ରସାଦର ସାହିଲ ଖାଁ, ବେଣାପଂଜରୀର କାଲା ଖାଁ, ଏଚ.ଡି.ଏଫ୍.ସି ଫାଇନାନ୍ସ ଏଜେଂଟ୍ ବଳରାମ ଜେନା, ଆଇଡିଏଫ୍ସିର ଫାଇନାନ୍ସ ଏଜେଂଟ୍ ଲକ୍ଷ୍ମୀଧର ଜେନା, କର୍ମଚାରୀ ଶାନ୍ତନୁ ସାହୁ ଓ ଦୋକାନ ମାଲିକ ଦିପୁ । ଜୁଲାଇ ୩୦ ତାରିଖରେ ଓମ୍ ମା’ କମ୍ୟୁନିକେସନ୍ର କର୍ମଚାରୀ ପିପିଲିର ଶାନ୍ତନୁ ସାହୁ (୨୪)ଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଅଭିଯୋଗ ପତ୍ରରେ ଉଲ୍ଲେଖ ଥିବା ୬ଜଣଙ୍କ ବ୍ୟତୀତ ଅନ୍ୟଜଣେ ମଧ୍ୟ ସକ୍ରିୟ ଭାବେ ଜଡ଼ିତ ଥିବା ପୁଲିସ ତଦନ୍ତରେ ଜଣାପଡ଼ିବା ପରେ ରସୁଲଗଡ଼ର ମାନସ ରଂଜନ ଦାସ (୨୫)କୁ ଗିରଫ କରିଥିଲା । ଆଜି ଦୋକାନ ମାଲିକ ସମେତ ଅନ୍ୟମାନଙ୍କୁ ଅଟକ ରଖିଥିବା ଜଣାଯାଇଛି ।
ଏଥିରେ କେବଳ ୬-୭ ଜଣ ନୁହନ୍ତି, ଏକ ବଡ଼ ରାକେଟ ବିଶେଷତଃ ଫାଇନାନ୍ସ ଏଜେଂଟ୍ ସମ୍ପୃକ୍ତ ଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଆଇଡିବିଆଇ ଓ ଏଚ.ଡି.ଏଫ୍.ସି ସପିଂକାର୍ଡ/କ୍ରେଡିଟ୍ କାର୍ଡ ଦ୍ୱାରା କୌଣସି ଗ୍ରାହକ ନିର୍ଦ୍ଧାରିତ ମୂଲ୍ୟର ସାମଗ୍ରୀ କିଣି ନେଇପାରିବ ଓ ଏହି ଟଙ୍କା ପରବର୍ତୀ ସମୟରେ କିସ୍ତି ଆକାରରେ ଉକ୍ତ ବ୍ୟାଙ୍କକୁ ସୁଝିବ । ଗ୍ରାହକ ଙ୍କୁ ଦୋକାନର ମାଲିକ ଓ କର୍ମଚାରୀ ମୋବାଇଲ ଫାଇନାନ୍ସ କରାଇ ଦେବେ କହି ଋଣ ସଂଭଦିଅ କାଗଜ ପତ୍ର ନେଇଥିଲେ କିନ୍ତୁ ପ୍ରତିଶ୍ରୁତି ମୁତାବକ ମୋବାଇଲ ଦେଇନଥିଲେ । କିନ୍ତୁ ଉକ୍ତ ଗ୍ରାହକଙ୍କୁ ମୋବାଇଲ୍ ଋଣ ଆକାରରେ ନେଇଥିବାରୁ କିସ୍ତି ସୁଝିବାକୁ ବ୍ୟାଙ୍କ ପକ୍ଷରୁ କଲ ଆସିବା ସହିତ ବିଜ୍ଞପ୍ତି ଆସିଥିଲା । ଏହାପରେ ଗ୍ରାହକ ଦୋକାନକୁ ଯାଇ ପଚାରିବାରୁ ଦୋକାନୀ ମାଲିକ ଓ କର୍ମଚାରୀ ମାନେ ଏନେଇ କିଛି ଜାଣିନଥିବା କହି ଏଡ଼ାଇଦେଇଥିଲେ । ଏନେଇ ଗ୍ରାହକମାନେ ଖୋର୍ଦ୍ଧା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହି ରାକେଟ ର ଗୁମର ଖୋଲି ଥିଲା । ପୁଲିସ୍ ଏନେଇ ୩୫୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।