ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୮ ଜିଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର । ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲାପାଳଙ୍କୁ ଆଜି ଏକ ନିର୍ଦେଶନାମା ଜାରି କରିଛନ୍ତି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଜିଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍,ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବସମ୍ବଳ ସଜାଗ ରହିବାକୁ ପଡ଼ିବ।
ଏହା ପୂର୍ବରୁ ଗତକାଲିଠାରୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆସି । ଜିଲ୍ଲା ଏମରଜେନ୍ସି ଅଫିସ ଓ କଣ୍ଟ୍ରୋଲ ରୁମ୍ ଦିନରାତି ଖୋଲା ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ସ୍ଥାନ ଚିହ୍ନଟ ସହ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ମାଟିଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି । ସୁରକ୍ଷିତ ସ୍ଥାନ ବା କୋଠା ଚିହ୍ନଟ କରି ସେହିଠାରେ ବାତ୍ୟା ଆଶ୍ରୟସ୍ଥଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ଦ୍ୱାରା ବାତ୍ୟା ଆଶ୍ରୟସ୍ଥଳୀକୁ ନିରୀକ୍ଷଣ କରାଇବାକୁ କୁହାଯାଇଛି ।
ସେପଟେ ବାତ୍ୟା ଆସିବ ନା ନାହିଁ ? ଯଦି ଆସିବ, କେବେ ଆସିବ ? ଆସିଲେ କୁଆଡ଼େ ଯିବ ? କେଉଁଠି ମାଡ଼ ହେବ, କେତେ ଜୋରରେ ମାଡ଼ ହେବ ? ସମ୍ଭାବ୍ୟ ବାତ୍ୟାକୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ପାଣିପାଗ ପୂର୍ବାନୁମାନ ମଡେଲ୍ । ତେବେ ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ଆସନ୍ତାକାଲି ମିଳିପାରେ । ୨୪ ଘଣ୍ଟା ଭିତରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।