ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ୍ ୱାର୍ଣ୍ଣଙ୍କର ପରଲୋକ

ନୂଆଦିଲ୍ଲୀ : ଅଷ୍ଟ୍ରେଲୀୟ ସ୍ପିନ୍ କିମ୍ବଦନ୍ତୀ ସେନ୍ ୱାର୍ଣ୍ଣଙ୍କର ଦେହାନ୍ତ ହୋଇଛି। ୫୨ ବର୍ଷ ବୟସରେ ହୃଦଘାତ କାରଣରୁ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ବିଖ୍ୟାତ ଥିବା ସେନ ଓ୍ବର୍ଣ୍ଣଙ୍କର ଥାଇଲାଣ୍ଡରେ ପରଲୋକ ହୋଇଥିବ ସୂଚନା ରହିଛି। କିମ୍ବଦନ୍ତୀ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାର୍ଣ୍ଣଙ୍କ ହଠାତ ପରଲୋକ କ୍ରିକେଟ ଜଗତକୁ ଏକ ଶକ୍ତ ଝଟକା ଦେଇଛି।

ସ୍ପିନ୍ କିମ୍ବଦନ୍ତୀ ସେନ୍ ୱାର୍ଣ୍ଣ ଅଷ୍ଟ୍ରେଲିଆ ପାଇଁ ୩୦୦ ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଲେଗ୍ ସ୍ପିନର କୁହାଯାଏ। ଭେଟେରାନ୍ ବ୍ୟାଟ୍ସମ୍ୟାନ୍‌ ମାନେ ମଧ୍ୟ ତାଙ୍କ ବୋଲିଂ ଆଗରେ ଛିଡା ହୋଇ ପାରୁନଥିଲେ। ସେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୩,୧୫୪ ରନ କରିଛନ୍ତି । ସେହିପରି ୧୯୪ ଦିନିକିଆ ମ୍ୟାଚ ଖେଳି ୧୦୧୮ ରନ କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କର ୭୦୮ ୱିକେଟ୍ ରହିଛି। ଏଥି ସହିତ ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୨୯୩ ୱିକେଟ୍ ନେଇଛନ୍ତି।

ଏହା ବ୍ୟତୀତ ଅଷ୍ଟ୍ରେଲୀୟ ସ୍ପିନ୍ କିମ୍ବଦନ୍ତୀ ସେନ୍ ୱାର୍ଣ୍ଣ ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି। କେବଳ ଖେଳିନାହାନ୍ତି ଭାରତର ପ୍ରଥମ ଆଇପିଏଲ ସିଜନ୍‌ରେ ସେ ଟାଇଟଲ ଜିତିଥିବା ଅଧିନାୟମ ମଧ୍ୟ ରହିଥିଲେ। ୨୦୦୮ ଆଇପିଏଲ-୧ରେ ବିଜୟୀ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ଥିଲେ ସେନ୍ ୱାର୍ଣ୍ଣ। ତାଙ୍କ ଅଧିନାୟକତ୍ବରେ ରାଜସ୍ଥାନ ରୟାଲ୍ସ ୨୦୦୮ ଆଇପିଏଲ-୧ର ଟାଇଟଲ୍ ଜିତିଥିଲା।