ମୋ ଢେଙ୍କାନାଳ ବୈଠକ ଅନୁଷ୍ଠିତ ବୁଝି ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ

ଢେଙ୍କାନାଳ,୨୫/୧୧(ଶୁଭମ ପାଣି): ଆଜି ଜିଲ୍ଲାପରିଷଦ ସମ୍ମିଳନୀ ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ” ମୋ ବ୍ଲକ – ମୋ ଢେଙ୍କାନାଳ ” ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବ୍ଲକ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 5 T ବୋର୍ଡ ଲଗାଇବା ସହିତ ସରକାରଙ୍କ ଜନହିତକର ଯୋଜନାଗୁଡିକୁ ମଧ୍ୟ ପ୍ରଦର୍ଶିତ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୃଣମୂଳ ସ୍ତରରେ ଲୋକମାନଙ୍କୁ ସୂଚନା ପ୍ରଦାନ କରି ସଚେତନ କରାଇପାରିଲେ ହିଁ ଯୋଜନାର ସୁଫଳ ମିଳିପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରିବା ସହିତ ୭୦ ବର୍ଷରୁ ଉର୍ଷ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କ ନିକଟରେ ଭତ୍ତା ପହଞ୍ଚାଇବାକୁ କହିଛନ୍ତି ।

ଅପପୁଷ୍ଟ ଶିଶୁମାନଙ୍କ ବିଶେଷ ଯତ୍ନ ନେବାକୁ ଅଙ୍ଗନବାଡି କେନ୍ଦ୍ର , ପ୍ରାଥମିକ ବିଦ୍ୟାଳୟଗୁଡିକରେ ପାନୀୟ ଜଳ , ଶୌଚାଳୟ ଏବଂ ବିଦ୍ୟୁତ ଯୋଗାଣର ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି । ପ୍ରତ୍ୟେକ ଗ୍ରାମରେ କମିଟି ଗଠନ କରି ଗ୍ରାମର ଆବଶ୍ୟକତା ମୁତାବକ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି । ପ୍ରକଳ୍ପଗୁଡିକ ଆବଶ୍ୟକତା ଓ ସ୍ଥାୟୀତ୍ବ ଦୀର୍ଘକାଳୀନ ହେବା ଆବଶ୍ୟକ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ରାସ୍ତା କଡ଼ର ଲାଇଟ , ରାସ୍ତା ମରାମତି ଉପରେ ଅଧିକ ଧ୍ୟାନ ଦେବାକୁ ସୁଲଭ ଖାଉଟି ସାମଗ୍ରୀ ବଣ୍ଟନର ସୁପରିଚାଳନା କରିବାକୁ ମନରେଗା କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କହିଛନ୍ତି । ପଞ୍ଚାୟତ ସ୍ତରରେ ବିଡିଓମାନେ ସଭାକରି ଲୋକମାନଙ୍କୁ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ଲୋକମାନଙ୍କ ଆବଶ୍ୟକତା ଓ ସମସ୍ୟା ବୁଝି ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି ।

ଜିଲ୍ଲାର ୪୮ ଟି ଦୁର୍ଗମ ଗ୍ରାମକୁ ଜଣେ ଲେଖାଏଁ ଅଧିକାରୀ ଯାଇ , ଲୋକ ମାନଙ୍କ ସମସ୍ୟା ବୁଝି , ସମାଧାନ କରାଯିବା ସହିତ ଗାଁ ଗୁଡିକୁ ମଡେଲ ଗାଁ ଭାବରେ ପରିଣତ କରାଯିବ । ପ୍ରତ୍ୟେକ ପଞ୍ଚାୟତରେ ଗ୍ରାମାଞ୍ଚଳ ପାର୍କ , ସ୍କୁଲ , ଇ – ପାଠାଗାର , ପୋଖରୀ ବ୍ୟବସ୍ଥା କରାଯିବ । ବର୍ଜ୍ୟଜଳର ପରିଚାଳନା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ପରିଷ୍କାର ପରିଚ୍ଛନତା ପ୍ରତି ଅଧିକ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ କହି ଏହା ଦ୍ବାରା ସଂକ୍ରମଣକୁ ରୋକା ଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଗ୍ରାମାଞ୍ଚଳର ଯେଉଁମାନେ କୋଭିଡ ଟୀକା ନେଇନାହାନ୍ତି , ସେମାନଙ୍କୁ ଚିହ୍ନଟ କରି ଟୀକା ପ୍ରଦାନ କରାଯିବ । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ ।

ପ୍ରତ୍ୟେକ ସ୍ତରରେ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ର ସଫଳ ରୂପାୟନ ନିମନ୍ତେ ସମସ୍ତ ଅଧିକାରୀ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆବାସ ଯୋଜନାରେ ଗୃହ ନିର୍ମାଣକୁ ତ୍ବରାନ୍ବିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ , ଅଙ୍ଗନବାଡି ଗୃହ , ମିଶନ ଶକ୍ତି ଗୃହର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ପୃଷ୍ଠି କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ବିଡିଓମାନଙ୍କୁ କହିଥିଲେ । ଅପୂର୍ଣ୍ଣ ଥିବା ପ୍ରକଳ୍ପଗୁଡିକୁ ଶୀଘ୍ର ଶେଷ କରିବାକୁ ସେ ବିଡିଓ ମାନଙ୍କୁ କହିଥିଲେ ।

ପନିପରିବା ଓ ଧାନ ଚାଷ ନିମନ୍ତେ ଫିଲ୍ମ ଚାନେଲ ନିର୍ମାଣ କରାଯାଇ କିଭଳି ଜଳସେଚନର ସୁବିଧା କରାଯାଇଛି ସେ ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ସେ ଅବଗତ କରାଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଦ୍ବାରା ଗ୍ରାମାଞ୍ଚଳର ଲୋକମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବିଡିଓ ମାନେ ଜଣାଇଥିଲେ । ମୋ ବ୍ଲକ କାର୍ଯ୍ୟ କ୍ରମକୁ ଲୋକାଭିମୁଖୀ ଓ ଫଳପ୍ରସୂ କରିବା ପାଇଁ ପଦସ୍ଥ ଅଧିକାରୀମାନେ ଜିଲ୍ଲାର ସମସ୍ତ ବ୍ଲକ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ , କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ , ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।