୫ଦିନ ପ୍ରବଳ ବର୍ଷିବ ଏହି ଜିଲ୍ଳାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୮: ସମ୍ଭାବ୍ୟ ଲଘୁଚାପକୁ ନେଇ ଚାଷୀକୂଳ ଆଶାବାନ୍ଧି ବସିଥିବାବେଳେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ଆରମ୍ଭ କରିଛି। ଶନିବାର ବାରିପଦାରେ ସର୍ବାଧିକ ୧୦୮.୮ ମି.ମି. ବର୍ଷା ହୋଇଛି। ଫଳରେ ସହରର ଅଧିକାଂଶ ରାସ୍ତାରେ ପାଣି ସୁଅ ଚାଲିବାରୁ ବହୁ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍‌ ହୋଇଯାଇଥିଲା। ସେହିପରି ପାରଳାଖେମଣ୍ଡିରେ ୫୮ମି.ମି., କଟକ ୨୦, ଭବାନିପାଟଣା ୨୦, ବଲାଙ୍ଗୀର ୧୬, କେନ୍ଦୁଝରରେ ୧୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ଏଥିସହିତ ଭୁବନେଶ୍ୱର, ଫୁଲବାଣୀ, ଟିଟିଲାଗଡ଼, ନୟାଗଡ଼, ମାଲକାନଗିରି, କୋରାପୁଟ, ଅନୁଗୋଳରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତ ୫ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ। ୧୬ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି।

୧୫ ତାରିଖରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ। ସେହିପରି ୧୬ରେ ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ଓ ୧୭ରେ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପାରିପାଗ ବିଭାଗର ଏହି ସୂଚନା ପରେ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସିଙ୍କ ଚିଠିରେ ଉଲ୍ଲେଖ ରହିଛି ଯେ, ୟେଲୋ ଓ୍ବାର୍ନିଂ ଥିବା ଜିଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ସହରାଞ୍ଚଳରେ ତଳିଆ ସ୍ଥାନରେ ପାଣି ଭର୍ତ୍ତି ହୋଇ ବିପରୀତ ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଣ୍ଟା ପିଛା ୪୫ କିଲୋମିଟର ରହିପାରେ। ତେଣୁ ୧୭ ତାରିଖଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

FacebookTwitterWhatsappYoutubeTelegram