ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ, ସଟଡାଉନ ବିଫଳ ସରକାରୀ ଭାଷାରେ ସଫଳ !

ଖୋର୍ଦ୍ଧା,୧୯।୦୫, ଅନ୍ଧଦେଶେ ଦର୍ପଣ ବିକ୍ରୀ ପରି ଖୋର୍ଦ୍ଧା ଜିଲ୍ଲାରେ କରୋନା କଟକଣା । ଜିଲ୍ଲାରେ ଟ୍ରେସିଂ ଟ୍ରାକିଙ୍ଗ ଓ ଟେଷ୍ଟିଙ୍ଗ ଆଜି ସତେ ଯେମିତି ସାତ ସପନ । ଏ ସବୁ ସପନ ଭିତରେ ସରକାରୀ କଟକଣାର ଭାଷା ପୂର୍ଣ୍ଣ ପ୍ରହସନ । ଆଜି ରାଜା ସୁରକ୍ଷିତ କିନ୍ତୁ ପ୍ରଜା ଅରକ୍ଷିତ । ଲକଡାଉନ, ସଟଡାଉନ ସତ କିନ୍ତୁ କରୋନା ଅପ୍ରସମିତ ।
ପାତର ଅନ୍ତର ନିତିରେ ଟିକାକରଣ ବ୍ୟବସ୍ଥାରେ ପ୍ରଜା ଭୋଗୁଛି ଆଉ ଦେଖୁଛି ପ୍ରୀୟା ପ୍ରୀତି, ତୋଷଣ ଓ କଳାବଜାରୀ କରଣ । ଜାତୀୟ ବିପତି ବେଳେ ଧ୍ୱସାଂଭିମୁଖୀ ଜାତୀୟ ସଂହତି । ଗ୍ଲାସ ହାଉସରେ ତିଆରି ଯୋଜନା ସବୁ ଗ୍ରାସ ରୁଟ ଲେବଲରେ ଯାତନା, ତାଡ଼ନା, ବାହାନା ।

ଗୁରୁତ୍ୱପୂର୍ଣ୍ଣ କଥା, ଯୋଜନାର କାର୍ଯ୍ୟକାରୀତା ପ୍ରତି ସରକାରୀ ଧଳା ହାତୀ ମାନଙ୍କର ତିଳେ ମାତ୍ର ଧ୍ୟାନ ନାହିଁ । ଉଦାହରଣ ସ୍ୱରୁପ ଚାଲିବା ପାଇଁ ଅକ୍ଷମ ଥିବା ବ୍ୟକ୍ତିଙ୍କ ପାଇଁ ମାଗଣାରେ ହ୍ୱିଲ୍ ଚେୟାର ମିଳିବ, କିନ୍ତୁ ପର୍ବତ ଶିଖରେ । ଏଠି ଯୋଜନା ଅନୁପାତରେ ଯାତନା ଯଥେଷ୍ଟ । ଯୋଜନାର ହିତାଧିକାରୀ ରାଜ୍ୟର ରାଜାଙ୍କ ହଳିଆ, ଦଳିଆ ଭଳି ଅଳିଆ କର୍ମଚାରୀଙ୍କ ଠାରୁ ପାଉଛନ୍ତି ନିର୍ଯାତନା । ଅର୍ଥାତ ଅଭିଯୋଗର ପ୍ରତିଫଳ ହେଉଛି ଗୁହାରୀ କରିବ ଯାହାକୁ ଆମ୍ଭେ ଘଇତା କରିଛୁ ତାହାକୁ ।

କଣ୍ଟେନମେଣ୍ଟ ଏଠି କାଗଜ କଲମରେ, ଆଗ ତାଲା ପଛ ମେଲା ନିତିରେ ଚାଲିଛି କଣ୍ଟେନମେଣ୍ଟ । ପ୍ରାୟ ଅଞ୍ଚଳରେ କରୋନା ଲକ୍ଷଣ ଥିବା ବ୍ୟକ୍ତି ଥିଲେ ମଧ୍ୟ ପ୍ରଶାସନ ଦ୍ୱାରା ଚିହ୍ନଟ କରାଯାଉ ନାହିଁ । ଯେଉଁ ଭଳିଭାବରେ ହାଟ ବଜାରରେ ଭିଡ ଦେଖି ବାକୁ ମିଳୁଛି ଲକଡାଉନ ସଟଡାଉନର ଫାଇଦା ପ୍ରତି ପ୍ରଶ୍ନ ବାଚି ସୃଷ୍ଟି କରୁଛି । ପ୍ରଶାସନ ଦ୍ୱାରା କେବଳ ଯେ ଜୋରିମାନା ଆଦାୟ କରି ବାଃ ବାଃ ନେଇଗଲେ ଲକଡାଉନ ସଟଡାଉନ ସଫଳ ହୋଇଗଲା, ତାହା ଡାହା ମିଛ ପ୍ରହସନ । ପ୍ରଶାସନ ସରକାରଙ୍କ କରୋନା ନିୟମକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିଲେ ହିଁ କରୋନାକୁ ହରାଇପାରିବା ।

କଣ୍ଟେନମେଣ୍ଟ ଜୋନରେ ଦାୟିତ୍ୱ ଦିଆଯାଉଥିବା ଅଧିକାରୀ ମାନେ ଦାୟୀତ୍ୱ ସଂପାଦାନ କରୁନଥିବା ବେଳେ କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ବାସୀ ଦାୟିତ୍ୱ ଦିଆଯାଇଥିବା ଅଧିକାରୀ ମାନଙ୍କୁ ସ୍ୱପ୍ନରେ ବି ଦେଖୁନାହାଁନ୍ତି । ଉଚ୍ଚ ଅଧିକାରୀ ତଳ ସ୍ଥରରେ ହେଉଥିବା କାର୍ଯ୍ୟକୁ ଦୃଷ୍ଟି ଦେଲେ ଲକଡାଉନ ସଟଡାଉନର ବାସ୍ତବ ନଗ୍ନ ଚିତ୍ର ଦେଖିପାରିବେ ।