ପ୍ରତାପଗଡ଼ : ଉତ୍ତର ପ୍ରଦେଶ ପ୍ରତାପଗଡ଼ ଅଞ୍ଚଳରେ ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। ପତି-ପତ୍ନୀ ଦୁହେଁ ଦୁହିଁଙ୍କର ସୁଖ-ଦୁଃଖର ସାଥୀ ବୋଲି ଯାହା କୁହାଯାଏ ତାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଯୁବକ। ବିବାହ ପୂର୍ବରୁ ଦୁର୍ଘଟଣାରେ କନ୍ୟା ଗୁରୁତର ଆହତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଯୁବକ ଜଣଙ୍କ ପଛକୁ ହଟି ନାହାନ୍ତି। ଷ୍ଟ୍ରେଚରରେ ଥିବା କନ୍ୟା ମଥାରେ ସିନ୍ଦୁର ଦେଇ ସେ କରିଛନ୍ତି ସାତ ଜନମର ଜୀବନସାଥୀ।
ଖବର ହେଲା ଉତ୍ତର ପ୍ରଦେଶ ପ୍ରତାପଗଡ଼ କୁଣ୍ଡା ଅଞ୍ଚଳର ଆରତୀ ମୋର୍ଯ୍ୟଙ୍କ ବିବାହ ପାଖ ଗାଁ’ର ଅବଧେଶଙ୍କ ସହ ସ୍ଥିର ହୋଇଥିଲା। ବିବାହ ତାରିଖ ଥିଲା ଡିସେମ୍ବର ୮। ଏଥିପାଇଁ ଉଭୟଙ୍କ ଘରେ ଚାଲିଥିଲା ପ୍ରସ୍ତୁତି। କିନ୍ତୁ ଏହାପୂର୍ବରୁ ଘଟିଲା ଦୁର୍ଘଟଣା। ସେଇଦିନ ଅପରାହ୍ନରେ ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ ଆରତୀ ଛାତ ଉପରୁ ତଳକୁ ଖସି ପଡିଲେ। ତାଙ୍କ ଅଣ୍ଟା ହାଡ ଭାଙ୍ଗିଗଲା। ଅଣ୍ଟା ଓ ଗୋଡ ସମେତ ଶରୀରର ଅନ୍ୟ ସ୍ଥାନରେ ଲାଗିଥିଲା ଆଘାତ। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଗଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ଘରଲୋକ ପ୍ରୟାଗରାଜର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିବାହ ପାଇଁ ଘରେ ଯେଉଁ ଖୁସି ଦେଖାଦେଇଥିଲା ତାହା ଦୁଃଖରେ ପରିଣତ ହୋଇଗଲା।