ରାଜ୍ୟରେ ଚାଲିଛି କୃଷକ ମାରଣ ନିତି, ସାର ପିଡିଆର ଅଭାବ ଓ କଳାବଜାରି (କାଳିଆ ଯୋଜନାର କୃଷକ ମାନଙ୍କୁ ଧୋକା)

ଭୁବନେଶ୍ୱର,୨୫।୦୯: ଓଡିଶା ଏକ କୃଷି ପ୍ରବଣ ରାଜ୍ୟ ହୋଇଥିବା ବେଳେ ଏଠାରେ ରାଜ୍ୟବାସୀ କୃଷି କାର୍ଯ୍ୟ ଉପରେ ନିର୍ଭରକରି ନିଜର ପେଟ ପାଟଣା କଥା ବୁଝନ୍ତି । ଆଜି ଓଡିଶା ସରକାର କୃଷି କାର୍ଯ୍ୟପାଇଁ ସର୍ବ ଭାରତୀୟ ସ୍ଥରରେ ବିଭିନ୍ନ ପୁରଷ୍କାର ପାଇ ଗର୍ବର ଡିଣ୍ଡିମ ପିଟୁଥିବା ବେଳେ କୃଷକ କିନ୍ତୁ ଆତ୍ମହତ୍ୟା ପରି ବିକଳ୍ପ ଚିନ୍ତା କରୁଛି । ରାଜ୍ୟ ସରକାର ଓ ପ୍ରଶାସନ ଉଭୟେ ବିରାଡି ପରି ଆଖିବୁଜି କ୍ଷୀର ପିଉଛନ୍ତି ଓ ସବୁ ଜାଣିଶୁଣି ମଧ୍ୟ କିଛି ନ ଜାଣିବାର ଅଭିନୟ କରି ଚେଇଁ ଶୋଇଛି । କାଳିଆ ଯୋଜନାର ଲଲିପପ୍ କୃଷକ ହାତରେ ଧରାଇଦେଇ ନେତା ମନ୍ତ୍ରୀମାନେ ପ୍ରଶାସନକୁ ହାତ ବାରିସକରି ଭୋଟ ହାତେଇବାରେ ମାହିର ଅଛନ୍ତି । ମରୁଡି ପରି ନଅଁଙ୍କ ଦୁର୍ଭିକ୍ଷ ବେଳେ ଚାତକ ପକ୍ଷୀ ବର୍ଷାର ଅପେକ୍ଷାରତ ଥିବା ବେଳେ କୃଷକର କୃଷିକ୍ଷେତ୍ର ସାର ପିଡିଆର ଅଭାବ ଓ କଳା ବଜାରୀରେ ଅଣ ନିଶ୍ୱାସୀ ହୋଇ ଫସଲ ସବୁ ମରିବାକୁ ବସିଲାଣି । କୃଷି ସମବାୟ ସମିତି ମାନେ କୃଷକମାନଙ୍କୁ ଯୋଗାଉଥିବା ସେବା ତାଳଗଛକୁ ବାଳ ଫିଙ୍ଗିବା ପରି । ଖୋଲା ବଜାରରେ ଆଜି ସାର ଦୁଇଗୁଣ ତିନଗୁଣ ଚଢା ଦରରେ ବିକ୍ରି ହେଉ ଥିବାବେଳେ ସାରକିଣିବା କୃଷକ ମାନଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ଅଧିକାରୀ ମାନଙ୍କୁ କଳାବଜାରୀର ଅଭିଯୋଗ କଲେ ଉତ୍ତର ମିଳୁଛି କିଏ କଳାବଜାରୀ କରୁଛି ଓ କେଉଁଠି କରୁଛି, ସେସବୁର ବିବରଣୀ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଠାରେ ସାର କଳାବଜାରୀ ଓ ଅଧିକାରୀ, ପ୍ରଶାସନର “ରାଧେ ରାଧେ ତମର ଅଧେକୁ ଆମ୍ଭର ଅଧେ” କଥାକୁ ସନ୍ଦେହ ବାହାରକୁ ନିଆଯାଇ ପାରିବ ନାହିଁ । କରୋନା ସମନ୍ଧୀୟ ନିର୍ଦ୍ଦେଶାବଳୀର ବାହାନା ଦେଖାଇ କୃଷକ/ଚାଷୀ ମାନଙ୍କୁ ଏକଜୁଟକୁ ନକରାଇବା ଏକ ଚାଲାକ ପ୍ରୟାସ । ଚାଷୀକୁଳକୁଙ୍କ ଏକଜୁଟକୁ ଭାଙ୍ଗି ବ୍ରିଟିଶ ଶାସନ ଚଳାଇବା ଅଧିକାରୀମାନଙ୍କ ଏକ ସଫଳ ପ୍ରୟାସ । କୃଷକ ମାନେ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପୋଲିସ ଲଗାଇ ସେମାନଙ୍କୁ ହଟାଇବା ଉଦ୍ୟମ ଏକ ଚକ୍ରାନ୍ତ ମାତ୍ର । ସରକାରଙ୍କ ଚାଷୀ ମାରଣା ନିତିରେ ସଂସ୍କାର ନଆସିଲେ ଭବିଷ୍ୟତ ଅନ୍ଧାର ନିଶ୍ଚିତ ।