ନୂଆଦିଲ୍ଲୀ,୧୭।୦୮ : ଦେଶର ୧୦୯ଟି ରେଳ ମାର୍ଗରେ ୧୫୦ଟି ଘରୋଇ ଟ୍ରେନ ଚଳାଚଳ କରିବ। ଟ୍ରେନ ଅପରେଟର ଯେଉଁ ଷ୍ଟେସନରେ ଚାହିଁବେ ସେମାନଙ୍କ ଟ୍ରେନର ରହଣୀ ନିର୍ଦ୍ଧାରିତ କରିପାରିବେ। ରେଳବାଇ ଏଥିପାଇଁ ସ୍ୱତନ୍ତ୍ରତା ଦେଇଛି। କିନ୍ତୁ ସର୍ତ୍ତ ରହିଛି ଘରୋଇ ଟ୍ରେନ ଅପରେଟର କେଉଁ ଷ୍ଟେସନରେ ତାଙ୍କ ଟ୍ରେନର ରହଣୀ ଚାହାନ୍ତି ତାର ସୂଚୀ ପୂର୍ବରୁ ପ୍ରଦାନ କରିବେ।
ଏହାବ୍ୟତୀତ ଘରୋଇ ଟ୍ରେନ ସଞ୍ଚାଳକ ରହଣୀ ସୂଚୀ ସହ ସେମାନଙ୍କ ଟ୍ରେନ କେତେବେଳେ କେଉଁ ଷ୍ଟେସନ ଛାଡିବ ଓ ପହଞ୍ଚିବ ତାହାର ଆଗୁଆ ତଥ୍ୟ ଦେବେ। ରହଣୀ ସମୟ ସାରଣୀ ଅନୁନ୍ୟ ଏକବର୍ଷ ପାଇଁ ଧାର୍ଯ୍ୟ ହେବ। ବର୍ଷକ ପରେ ରହଣୀର ପୁନଃ ସମୀକ୍ଷା କରିପାରିବେ।
ଆବେଦନ ପୂର୍ବ ବୈଠକରେ ଯୋଗଦେଇଥିବା ଘରୋଇ ସଞ୍ଚାଳକ ଏ ନେଇ ପ୍ରଶ୍ନ କରିଥିଲେ। ବୁଝାମଣା ନିୟମ ସର୍ତ୍ତ ଅନୁଯାୟୀ ରେଳବାଇ ରହଣୀ ଷ୍ଟେସନର ଚୟନରେ କୋହଳ ମନଭାବ ପୋଷଣ କରିବେ ବୋଲି କହିଛନ୍ତି। ଆଉ ସ୍ପଷ୍ଟ କରାଯାଇଛି ଘରୋଇ ରେଳ ଅପରେଟରଙ୍କ ଟ୍ରେନ ଦ୍ରୁତଗାମୀ ହେବ। ତେଣୁ ସେମାନେ ରାସ୍ତାରେ ଅଧିକ ରହଣୀ ନ କରିବା ଉତ୍ତମ ହେବ। ତେବେ ଘରୋଇ ଟ୍ରେନ ଅପରେଟର ସେମାନଙ୍କ ସୂଚନାରେ ସେହି ସବୁ ଷ୍ଟେସନକୁ ସ୍ଥାନିତ କରିବେ ଯେଉଁଠାରେ ଟ୍ରେନ ପାଣି ବୋଝେଇ ସହ ସଫାସୁତୁରା ପାଇଁ ରହିବ। ଏହାଛଡା ସଞ୍ଚାଳନ ଜନିତ ଅପରିହାର୍ଯ୍ୟ ପରିସ୍ଥିତିରେ ଟ୍ରେନକୁ ଯେ କୌଣସି ଷ୍ଟେସନରେ ରହିବାକୁ ଅନୁମତି ମିଳିପାରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।