କ୍ୟାପିଟାଲ ଥାନାର ୬ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୯।୦୭: ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବେ କରୋନା ହବ୍‌ ପାଲଟିଛି। ଏଥିରୁ କରୋନା ଯୋଦ୍ଧା ମଧ୍ୟ ବାଦ ପଡ଼ିନାହାନ୍ତି। ଗୁରୁବାର ଗୋଟିଏ ଦିନରେ କ୍ୟାପିଟାଲ ଥାନାର ୬ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ସମସ୍ତ କର୍ମଚାରୀମାନେ ନିୟମିତ ଥାନାକୁ ଆସୁଥିବାବେଳେ ଗୁରୁବାର ଥାନାରେ ଉପସ୍ଥିତ ଥିଲେ।

ସବୁଠାରୁ ବଡ଼ କଥା ହେଉଛି ରାଜଧାନୀରେ ଲକ ଡାଉନ ଚାଲିଥିବାବେଳେ ପୋଲିସ କର୍ମଚାରୀ ମାନେ ବିଭିନ୍ନ ଅଞ୍ଚଳରେ ଚେକିଂ କରିବାରେ ବ୍ୟସ୍ତ ରହୁଛନ୍ତି। ଯାହା ଫଳରେ ଏମାନେ ଆକ୍ରାନ୍ତ ହେବା ସହ ଯେଉଁ ବ୍ୟକ୍ତିମାନେ ସେମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ରାଜ୍ୟ ସରକାରଙ୍କ ପାଇଁ ନିଶ୍ଚୟ କଷ୍ଟକର ବ୍ୟାପାର ହେବ ବୋଲି ଆଲୋଚନା ହେଉଛି।

ସୂଚନା ଥାଉ କି ପୂର୍ବରୁ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗୁରୁବାର ଆଉ ୬ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଥାନାରେ ଅନ୍ୟ କର୍ମଚାରୀମାନେ ଆତଙ୍କିତ ହୋଇପଡିଛନ୍ତି। ଗତ ୨୫ ତାରିଖରେ କ୍ୟାପିଟାଲ ଥାନାର ଜଣେ ମହିଳା କନଷ୍ଟେବଳ କରୋନା ପଜିଟିଭ୍‌ ଆସିଥିଲା। ପରେ ଥାନାର ସମସ୍ତ କର୍ମଚାରୀଙ୍କ ସ୍ବାବ ଓ ରକ୍ତ ନମୁନା ଟେଷ୍ଟ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଥାନାର କର୍ମଚାରୀଙ୍କ ନମୁନା ଟେଷ୍ଟ୍‌ ପାଇଁ ଯାଇଥିଲା। ଟେଷ୍ଟ କରିବା ପରେ ସନ୍ଧ୍ୟା ସୁଦ୍ଧା ୬ ଜଣଙ୍କର ପଜିଟିଭ୍‌ ଆସିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଫିସ୍‌ର, କନଷ୍ଟେବଲ ଓ ହୋମଗାର୍ଡ ରହିଛନ୍ତି। ତେବେ ଆଗକୁ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି।