ଭୁବନେଶ୍ଵର : ଲକ୍ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ଵ ଦେଇ କାମ କରିଛି। କିନ୍ତୁ କରୋନା ଯୁଦ୍ଧ ସରି ନାହିଁ। ଆମକୁ ଅଧିକ ସତର୍କ ରହି ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ। ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ବାହିନୀକୁ ଆହ୍ଵାନ ଜଣାଇଛନ୍ତି।
ସେ କହିଛନ୍ତି ଥାନା ମାନଙ୍କରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଅଧିକ କର୍ମଚାରୀ ମୁତୟନ ହେବା ଆବଶ୍ୟକ। ସେଥିପାଇଁ ୧୫ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍.ପିମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍ଡାଉନ ସମୟରେ ଓଡ଼ିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି ସେଥିପାଇଁ ଓଡିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଛନ୍ତି। ଲକ୍ଡାଉନ ସମୟରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଓଡିଶା ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଭିତରେ କେହି ପ୍ରବାସୀ ଚାଲିଚାଲି ଯିବେ ନାହିଁ। ରାଜ୍ୟ ସରକାରଙ୍କ ଏହି ନୀତିକୁ ପୋଲିସ ବାହିନୀ ଉତ୍ତମ ସମନ୍ଵୟ ରଖି ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ମାନବୀୟ ସେବା ଯୋଗାଇଛି। ଏହା ଓଡିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିପରି ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। କରୋନା ଭୟ ସତ୍ତ୍ୱେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାହାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଥିବାରୁ ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଏହା ଏକ ଅସ୍ଵାଭାବିକ ପରିସ୍ଥିତି। ଏଥିରେ ଆମେ ସମସ୍ତେ ଟିମ୍ ସ୍ପିରିଟ୍ରେ କାମ କରୁଛୁ। ଏହି ଆହ୍ଵାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗରେ ଅଛନ୍ତି। ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍ଧ ଅଛି। ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍.ପି ମାନଙ୍କୁ ପରାମର୍ଶ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନ ଦ୍ଵାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳାମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କହିଥିଲେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ଯ୍ୟଦକ୍ଷତା ଦେଖାଇଛି ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି। ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି। ଗୃହ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଧନ୍ୟବାଦ ଅର୍ପଣ କରିଥିଲେ।