ଭୁବନେଶ୍ୱର: ଆସନ୍ତାକାଲି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତ ବର୍ଷ ମଧ୍ୟ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ନପାଳିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
ସେ କହିଛନ୍ତି ଯେ, ‘ରାଜ୍ୟବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆର୍ଶୀବାଦ ପାଇଁ ମୁଁ ଋଣୀ ।’ ଜନ୍ମଦିନ ପାଳନ କରିବାକୁ ମନା କରିବା ସହ ନବୀନ ନିବାସ ନଆସିବାକୁ ସେ ନିବେଦନ କରିଛନ୍ତି । ଏହା ସହ କୋଭିଡରେ ମୃତ ଲୋକଙ୍କ ପରିବାରକୁ ସାହାଯ୍ୟ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ରକ୍ତଦାନ ଭଳି ମହତ କାର୍ଯ୍ୟ ହେବ ଜନ୍ମଦିନ ପାଇଁ ସବୁଠାରୁ ବଡ଼ ଶୁଭେଚ୍ଛା ବୋଲି ସେ କହିଛନ୍ତି ।
ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଓ କଟକଣା ଯୋଗୁ ଅନୁରୂପ ଭାବେ ଜନ୍ମଦିନ ପାଳି ନଥିଲେ। କରୋନା କଟକଣା ଯୋଗୁ ମୁଖ୍ୟମନ୍ତ୍ରୀ କ୍ୱଚିତ୍ ଲୋକଙ୍କୁ ଭେଟୁଥିବାରୁ ତାଙ୍କ ଜନ୍ମଦିନରେ ନେତା-ମନ୍ତ୍ରୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ଯିବା ଉପରେ କଟକଣା ଲଗାଯାଇଥିଲା। ସୂଚନାଯୋଗ୍ୟ, ୧୯୪୬ ଅକ୍ଟୋବର ୧୬ରେ ଜନ୍ମିତ ଶ୍ରୀ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ୫ରୁ ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।