ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ, ୬୩ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବେହାଲ ରାଜଧାନୀ ଭୁବନେଶ୍ୱର। ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି। ଉଛୁଳା ପାଣିରେ ଅନେକ ଗାଡ଼ି ବୁଡିଯାଇଛି। ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ପାଣିର ପ୍ରବଳ ସୁଅ ଚାଲିଥିଲା।ରାଜଧାନୀର ବମିଖାଲ ଅଂଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି। ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶି ଗାଡି ମୋଟର ବୁଡିଯାଇଥିଲା।

ଭୁବନେଶ୍ୱର ଓ କଟକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ସହ ଟ୍ୱିନ ସିଟିରେ ଘଣ୍ଟାକୁ ୩ରୁ ୫ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରିଥଲା ପାଣିପାଗ ବିଭାଗ। ଏହାଦ୍ୱାରା ରାସ୍ତାରେ ପାଣି ଜମିଥିଲା। ରାତି ୧୦ଟା ପର୍ଯ୍ୟନ୍ତ ସତର୍କ ରହିବା ସହ ଯଥା ସମ୍ଭବ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିଲା। ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ୬୩ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର। ୨୪ ଘଣ୍ଟାରେ ଭୁବନେଶ୍ୱରରେ ରେକର୍ଡ ୧୬୩ ମିମି ବର୍ଷା, ୧୯୫୮ ସେପ୍ଟେମ୍ବର ୯ ତାରିଖ ରେକର୍ଡ ଭାଙ୍ଗି ସର୍ବାଧିକ ବର୍ଷା ହୋଇଛି ।