ଭୁବନେଶ୍ୱର,୧୨/୦୯: ଆଜି ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ ବା ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଲିଖିତ ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ । ଦେଶ ଓ ବିଦେଶର ୨୦୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୬ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କୋଭିଡ୍ କଟକଣାକୁ ଲକ୍ଷ୍ୟ କରି ପରୀକ୍ଷା କେନ୍ଦ୍ର ସଂଖ୍ୟା ଦୁଇ ଗୁଣ ବୃଦ୍ଧି କରାଯାଇଛି । ମୋଟ ୩ହଜାର ୮୫୮ କେନ୍ଦ୍ର ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କୁ କୋଭିଡ୍ ନିୟମାବଳୀ ମାନି କେନ୍ଦ୍ରକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନିଟ୍ ପରିଚାଳନାରେ ସହଯୋଗ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ନିକଟରେ ଆମେ କୋଭିଡର ଦ୍ୱିତୀୟ ଲହରିକୁ ଦେଖିଛୁ । ଏଭଳି କଠିନ ସମୟ ମଧ୍ୟରେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ବର୍ଗର ସହଯୋଗ ଆବଶ୍ୟକ । ତେଣୁ ଆପଣ ନିଜ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ ପରାମର୍ଶ ଦେଇଥିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ଆଶା ପ୍ରକଟ କରିଛନ୍ତି ।
ଆମ ରାଜ୍ୟରେ ୧୬ଟି ସହରରେ ନିଟ୍ ଅନୁଷ୍ଠିତ ହେବ । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଓ ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର ହେବ ବୋଲି ଏନ୍ଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ୱରର ୧୬ଟି କେନ୍ଦ୍ରରେ ୧୦ ହଜାର ୯୬୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସଂଯୋଜିକା ସୂଚନା ଦେଇଛନ୍ତି । ଅପରପକ୍ଷେ, ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଏନ୍ଟିଏ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଛାତ୍ରଛାତ୍ରୀ ବ୍ୟସ୍ତ ନ ହେବାକୁ ଏନ୍ଟିଏର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରାସର ପରାମର୍ଶ ଦେଇଛନ୍ତି ।