ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ନୂଆ ଟିମ୍ ଘୋଷଣା କରିଛନ୍ତି। ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ ପରେ ରାଜ୍ୟ ବିଜେପି ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ ପାଇଛି। ଏହି ଟିମରେ ରହିଛନ୍ତି ୧୦ଜଣ ଉପସଭାପତି ଓ ୪ଜଣ ସାଧାରଣ ସମ୍ପାଦକ। ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ, ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶି ଓରାମ, ଭୃଗୁ ବକ୍ସପାତ୍ର, ଅନୀତା ପଟ୍ଟନାୟକଙ୍କୁ ଉପସଭାପତି ପଦ ମିଳିଛି। ସେହିପରି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତି ପରିଡ଼ା ଉପସଭାପତି କରାଯାଇଥିବା ବେଳେ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବଭଳି ସାଧାରଣ ସମ୍ପାଦକ ପଦରେ ରହିଛନ୍ତି। ରାଜ୍ୟ ବିଜେପିର ମୁଖପାତ୍ର ଗୋଲକ ମହାପାତ୍ର ସାଧାରଣ ସମ୍ପାଦକ ପଦବୀ ପାଇଛନ୍ତି। ଲେଖାଶ୍ରୀ ସାମନ୍ତସିଂହାର ସମ୍ପାଦିକାରୁ ସାଧାରଣ ସମ୍ପାଦିକା ହୋଇଛନ୍ତି। ପିଙ୍କି ପ୍ରଧାନଙ୍କୁ ନୂତନ ଭାବେ ସମ୍ପାଦିକା ଦାୟିତ୍ୱ ଦିଆଯାଇଛି।
ସେହିପରି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ, ରାଜ୍ୟ ଛାତ୍ର ବିଜେପି ସଭାପତି ଇରିଶ ଆଚାର୍ଯ୍ୟ, କୃଷକ ମୋର୍ଚ୍ଚା ସଭାପତି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ସାଂସଦ ବିଶେଶ୍ୱର ଟୁଡ଼ୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୂପ୍ରସାଦ ତରାଇ ଓ ରାଜ୍ୟ ସଂଖ୍ୟାଲଘୁ ସଭାପତି ଭାବେ ସିକନ୍ଦର ଅଲ୍ଲୀଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ ବିଜେପିର ମୁଖପାତ୍ର ଟିମରେ ସ୍ଥାନ ପାଇଥିବା ୧୦ଜଣ ହେଲେ ସୁଦୀପ୍ତ ରାୟ, ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଂଚି ନାରାୟଣ ତ୍ରିପାଠୀ, ଧୀରେନ ଶତପଥୀ, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ ଓ ଉମାକାନ୍ତ ପଟ୍ଟନାୟକ ଅଛନ୍ତି। ରାଜ୍ୟ କାର୍ଯ୍ୟାଳୟର ସମ୍ପାଦକ ଭାବେ ଦେବେନ୍ଦ୍ର ନନ୍ଦଙ୍କୁ ନିଯୁକ୍ତି ଦିଆଯାଇଛି।