ଗାଡ଼ିରେ ଏକୁଟିଆ ଯାଉଥିଲେ ମାସ୍କ ପିନ୍ଧିବା ଦରକାର ନାହିଁ !

ନୂଆଦିଲ୍ଲୀ,୧୧/୦୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କୁହାଯାଇଛି କି କୌଣସି ବ୍ୟକ୍ତି ଗାଡ଼ିରେ ଏକୁଟିଆ ଯାଉଥିଲେ ତାଙ୍କୁ ମାସ୍କ ପିନ୍ଧିବା ଦରକାର ନାହିଁ । ଏଭଳି ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ । ଦିଲ୍ଲୀର ସୌରଭ ଶର୍ମା ନାମକ ଜଣେ ଓକିଲ ନିଜ କାର୍‌ରେ ଏକୁଟିଆ ଯାଉଥିଲାବେଳେ ପୁଲିସ ତାଙ୍କୁ ଅଟକାଇ ତାଙ୍କ ବିରୋଧରେ ୫୦୦ ଟଙ୍କାର ଚାଲାଣ କାଟିଥିଲା । ହେଲେ ସେ ଏହାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଇ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଅଦାଲତଙ୍କୁ ଉପରୋକ୍ତ ସୂଚନା ଦିଆଯାଇଛି । ତେବେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି ସ୍ୱାସ୍ଥ୍ୟ ସେବା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବାରୁ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ପକ୍ଷକୁ ଅଦାଲତ ବିଚାରକୁ ନିଅନ୍ତୁ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏଥିରେ ପକ୍ଷଭୁକ୍ତ କରାନଯାଉ । ଏହା ପୂର୍ବରୁ ଦିଲ୍ଲୀ ସରକାର ଉକ୍ତ ମାମଲାରେ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ କିମ୍ବା ସରକାରୀ ଗାଡିରେ ଏକୁଟିଆ ଗଲେ ବି ତାଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ।