ନୂଆଦିଲ୍ଲୀ,୨୬।୦୮ : କରୋନା ସଂକ୍ରମଣ ଭିତରେ ଆସନ୍ତା ମାସରେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରୀକ୍ଷା ଦ୍ୱାରା ଶିକ୍ଷାର୍ଥୀଙ୍କ ଜୀବନ ପ୍ରତି ସଂକ୍ରମଣର ବିପଦ ରହିଥିବାରୁ ବିଭିନ୍ନ ମହଲରେ ବିରୋଧ ହେଉଛି। ଏବେ ୭ଟି ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି।
ବୁଧବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଭର୍ଚ୍ୟୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ଅନୁଯାୟୀ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ବିରୋଧରେ ସୁପ୍ରିମକୋର୍ଟ ଯିବେ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ ଓ ପୁଡୁଚେରୀ କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ସାମିଲ ଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମେ ଜେଇଇ ଓ ନିଟ୍ ବିରୋଧରେ ସମସ୍ତେ ଏକାଠି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ ଛାତ୍ରଛାତ୍ରୀମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯଦି କେନ୍ଦ୍ର ସରକାର ଜେଇଇ ଓ ନିଟ୍ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଯାଉନାହାନ୍ତି ତା’ହେଲେ ରାଜ୍ୟ ସରକାରମାନେ ଏହା ବିରୋଧରେ ଆବେଦନ କରିବା ଉଚିତ। ବର୍ତ୍ତମାନ ଟ୍ରେନ ଚଳାଚଳ କରୁନି। ବିମାନ ସେବା ଅଧିକ ତ୍ୱାରିନ୍ୱିତ ହୋଇନାହିଁ। ଏଭଳି ସ୍ଥିତିରେ କେମିତି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବେ ବୋଲି ସେ ପ୍ରଶ୍ନ କରିଥିଲେ।