କୃଷକଙ୍କ ଆକାଉଣ୍ଟକୁ ୧୭୦୦୦ କୋଟି ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯।୮ : ଦେଶର କରୋନା ସଙ୍କଟ ସମୟରେ କୃଷି କ୍ଷେତ୍ର ତଥା କୃଷକମାନଙ୍କୁ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷ‌ାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରାୟ ୮.୫ କୋଟି ଚାଷୀଙ୍କୁ ୧୭,୦୦୦ କୋଟି ଟଙ୍କା ପଠାଇଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦେଢ଼ ବର୍ଷ ମଧ୍ୟରେ ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଏଥିମଧ୍ୟରୁ କାରୋନା ସମୟରେ ଚାଷୀଙ୍କୁ ଦିଆଯାଇଛି ୨୨,୦୦୦ କୋଟି ଟଙ୍କା।
ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଚାଷୀଙ୍କୁ ଏବେ ମଣ୍ଡି ଓ ମଣ୍ଡି ଟ୍ୟାକ୍ସରୁ ମୁକ୍ତ କରାଯାଇଥିବାରୁ ସେମାନଙ୍କ ପାଖରେ ଏବେ ଅନେକ ବିକଳ୍ପ ରହିଛି। ‘ଆତ୍ମନିର୍ଭର ଭାରତ’ ଅନୁଯାୟୀ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଏହି ପାଣ୍ଠି ଆରମ୍ଭ କରାଯାଇଛି। ଯାହା କୃଷକଙ୍କ ରୋଜଗାରକୁ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ୪ ବର୍ଷ ପାଇଁ ୧ଲକ୍ଷ କୋଟି ଟଙ୍କାର ଋଣ ଉପଲବ୍ଧ ହେବ। ୨୦୨୦ରୁ ୨୦୨୧ ମଧ୍ୟରେ ଚାଷୀଙ୍କ ପାଇଁ ଉପଲବ୍ଧ ହେବ ୧୦,୦୦୦ କୋଟି ଟଙ୍କା ଋଣ। ଅବଶିଷ୍ଟ ତିନିବର୍ଷ ମଧ୍ୟରେ ୩୦,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ସୁଧ ଉପରେ ତିନି ପ୍ରତିଶତ ସବସିଡି କୃଷକମାନଙ୍କୁ ୨ କୋଟି କିମ୍ବା ସାତ ବର୍ଷ ପର୍ଯ୍ୟନ୍ତ ଋଣ ଉପରେ ପ୍ରଦାନ କରାଯିବ। ଏସବୁ ଯୋଜନା ଓ ସଂସ୍କାର ଦେଶର କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।