ନୂଆଦିଲ୍ଲୀ : ଦେଶରେ ଆଜି ଦୁଇଟି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି। ରବିବାର ସକାଳ ୮ଟା ୫୬ ମିନିଟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଡିଜିଲିପୁର ନିକଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧। ସେହିପରି ମଣିପୁରର ଉକ୍ରୁଲ ନିକଟରେ ପୂର୍ବାହ୍ନ ୧୧ଟା ୨୪ ମିନିଟରେ ହୋଇଥିବା ଭୂକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୪ ଥିଲା ବୋଲି ଜଣାପଡିଛି। ଭୂକମ୍ପର ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ଭୟରେ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ଆସିଛନ୍ତି। ଭୂକମ୍ପର ଝଟକା ବହୁତ ଜୋର ଥିଲା ବୋଲି ଲୋକେ କହିଛନ୍ତି। ଅଦ୍ୟାବଧି କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।