ଚୀନ ମିଛ ର ପ୍ରମାଣ ଦେଲେ ମହମ୍ମଦ ଅମୀନ ଗଲୱାନ |

ନୂଆଦିଲ୍ଲୀ : ଜୁନ ୧୫ (ସୋମବାର) ତାରିଖ ଡେନ ଲଦାଖର ଗଲୱାନ ଘାଟିରେ ଚୀନ-ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ଚୀନ। କିନ୍ତୁ ଏହି ମିଛ ବୋଲି ପ୍ରମାଣ ଦେଇଛନ୍ତି ମହମ୍ମଦ ଅମୀନ ଗଲୱାନ। ସେ କହିଛନ୍ତି ତାଙ୍କ ଜେଜେ ବାପାଙ୍କ ବାପା ରସୁଲ ଗଲୱାନ ୧୮୯୦ ମସିହାରେ ଏହି ଗଲୱାନ ଭ୍ୟାଲି ପ୍ରଥମେ ଆବିଷ୍କାର କରିଥିଲେ। ତେଣୁ ତାଙ୍କ ନାଁ ଅନୁସାରେ ଗଲୱାନ ଭ୍ୟାଲିର ନାମକରଣ କରାଯାଇଛି।

ଶନିବାର ମହମ୍ମଦ ଅମୀନ ଗଲୱାନ ଗଣମାଧ୍ୟମକୁ କହିଛନ୍ତି ବ୍ରିଟିଶ ଅଫିସରମାନେ ବଡ଼ବଡ଼ ପାହାଡ଼ ମଧ୍ୟରେ ରାସ୍ତା ବାଉଳା ହୋଇ ଯାଇଥିଲେ। କୁଆଡ଼େ ଯିବେ ଜାଣି ପାରିଲେନି। ସେହି ସମୟରେ ମୋ’ ଜେଜେ ବାପାଙ୍କ ବାପା ରସୁଲ ଗଲୱାନ ସେମାନଙ୍କ ପାଖରେ ପହଞ୍ଚି ପାହାଡ଼ ରାସ୍ତାରେ ଆଗକୁ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେଇଥିଲେ। ରସୁଲ ଗଲୱାନଙ୍କ ମହାନତାକୁ ଦୃଷ୍ଟିରେ ରଖି ତାଙ୍କ ସମ୍ମାନାର୍ଥେ ଉକ୍ତ ଅଞ୍ଚଳକୁ ଗଲୱାନ ଭ୍ୟାଲି ଭାବେ ଘୋଷଣା କରାଯାଇଥିଲା। ମୋ ଜେଜେ ବାପାଙ୍କ ବାପା ୧୮୯୨-୯୩ରେ ବ୍ରିଟିଶରମାନଙ୍କୁ ବାଟ କଢ଼ାଇ ଗଲୱାନ ଭ୍ୟାଲି ପର୍ଯ୍ୟନ୍ତ ଆଣିଥିଲେ। ସେ ପ୍ରଥମେ ଏହି ଅଞ୍ଚଳକୁ ଠାବ କରିଥିଲେ। ଏହା ପୂର୍ବରୁ କେହି ଏ ଅଞ୍ଚଳରେ ପହଞ୍ଚି ନଥିଲେ।

ଚୀନର ଦାବି ପ୍ରସଙ୍ଗରେ ଅମୀନ କହିଛନ୍ତି ଏହି ଅଞ୍ଚଳ ସର୍ବଦା ଭାରତର ଅଂଶ ବିଶେଷ ଭାବେ ରହିଥିଲା ଓ ରହିବ। ଭାରତୀୟ ସେନା ଚାଇନା ଯବାନଙ୍କୁ ସେଠାରେ ପଛକୁ ନେବା ଦରକାର। ଚାଇନା ଯେଉଁ ଦାବି କରୁଛି ତାହାର କୌଣସି ପ୍ରମାଣ ନାହିଁ। ଆମ ପାଖରେ(ଭାରତ) ସବୁ ପ୍ରମାଣ ରହିଛି। ମୋ ଜେଜେ ବାପାଙ୍କ ବାପା ଥରେ ନୁହେଁ ହଜାରେ ଥର ସେଠାକୁ ଯାଇଥିଲେ ଓ ତାଙ୍କ ନାଁ ଅନୁସାରେ ଏହି ଅଞ୍ଚଳର ପରିଚୟ ହାସଲ କରିଥିଲା। ଏହାପରେ ସମଗ୍ର ବିଶ୍ୱ ଓ ବ୍ରିଟିଶରମାନେ ଗଲୱାନ ସମ୍ପର୍କରେ ଜାଣିଥିଲେ। (ଏଜେନ୍ସି)