ଲଦାଖ ଲଢେଇରେ ୪୩ ଚୀନ ସୈନ୍ୟ ନିହତ, ଭାରତର ୨୦ ଯବାନ ସହିଦ

ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ ହୋଇଥିବା ବଡ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜଣେ ଅଧିକାରୀ ଏବଂ ଦୁଇ ଜଣ ଯବାନ ସହିଦ୍ ହୋଇଥିବା କୁହାଯାଉଥିଲା। ହେଲେ ଏବେ ବିଭିନ୍ନ ଜାତୀୟ ଗଣମାଧ୍ୟମର ସୂତ୍ର ଅନୁଯାୟୀ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ହାତାହାତିରେ ଅତିକମରେ ୨୦ ଭାରତୀୟ ସୈନିକ ସହିଦ ହୋଇଛନ୍ତି। ଏହି ସଂଖ୍ୟା ଆହୁରି ମଧ୍ୟ ବଢିପାରେ। ଅନ୍ୟପଟେ ଚୀନର ମଧ୍ୟ ବହୁତ କ୍ଷତି ଘଟିଛି। ଚୀନର ୪୩ ସୈନିକ ନିହତ ହୋଇଥିବା ଏଏନଆଇ ସୂତ୍ରକୁ ନେଇ ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ହିମାଚଳ ପ୍ରଦେଶରେ ଚୀନ ସୀମା ନିକଟରେ ହାଇଆଲର୍ଟ ଜାରି କରାଯାଇଛି।

ସରକାରୀ ସୂତ୍ରରୁ ଏଏନଆଇ ଖବର ପ୍ରକାଶ କରିଛି ଯେ, ଏହି ବଡ ଘଟଣାରେ ଚୀନୀ ସେନାର ୪୩ ଯବାନ ମଧ୍ୟ ନିହତ ହୋଇଛନ୍ତି। ଏହା ସହିତ ଅନେକ ଆହତ ମଧ୍ୟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ସୋମବାର ରାତିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହି ଘଟଣା ତେବେ ଘଟିଲା ଯେବେ ସୋମବାର ରାତିରେ ଗଲଓ୍ଵାନ ଘାଟି ପାଖରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ସବୁକିଛି ସ୍ଵାଭାବିକ ଥିଲା।

ଏହା ପୂର୍ବରୁ ଏହି ଘଟଣାରେ ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରି କହିଥିଲା ଯେ, ଭାରତ ସର୍ବଦା ଏଲଏସିର ସମ୍ମାନ କରିଛି ଏବଂ ଚୀନକୁ ମଧ୍ୟ ଏମିତି କରିବା ଉଚିତ୍। ମନ୍ତ୍ରଣାଳୟ କହିଛି ଏଲଏସିରେ କାଲି ଯାହା କିଛି ଘଟିଛି ତାକୁ ରୋକା ଯାଇ ପାରିଥାନ୍ତା। ଏହି ଘଟଣାରେ ଦୁଇ ଦେଶକୁ କ୍ଷତି ସହିବାକୁ ପଡିଛି।

ଏଲଏସିରେ ଘଟିଥିବା ସଂଘର୍ଷ ପରେ ଦିଲ୍ଲୀରେ ଘନ ଘନ ବୈଠକ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ଵତ ଓ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେଙ୍କ ସହିତ ବୈଠକ କରିଛନ୍ତି। ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର ସୂଚନା ଦେଇଛନ୍ତି। ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ବାସଭବନ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।

କଣ କହିଥିଲେ ଭାରତୀୟ ସେନା

ମଙ୍ଗଳବାର ଅପରାହ୍ନରେ ଭାରତୀୟ ସେନା ପକ୍ଷରୁ ଜାରି ଆନୁଷ୍ଠାନିକ ବୟାନରେ କୁହାଯାଇଛି ଯେ, ଗଲଓ୍ଵାନ ଘାଟିରେ ସୋମବାର ରାତିରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ କଥାବାର୍ତ୍ତା ବେଳେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହି ସମୟରେ ଭାରତୀୟ ସେନାର ଜଣେ ଅଫିସର ଓ ଦୁଇ ଯବାନ ସହିଦ ହୋଇଛନ୍ତି।

କଣ କହିଥିଲା ଚୀନ

ହି ଘଟଣା ପରେ ଚୀନୀ ବୈଦେଶିକ ମନ୍ତ୍ରଣାଳୟର ଆନୁଷ୍ଠାନିକ ବିବୃତ୍ତିରେ ବେଜିଂ ଓଲଟା ଭାରତ ଉପରେ ଅନୁପ୍ରବେଶର ଅଭିଯୋଗ ଲଗାଇଛି। ଚୀନର ଅଭିଯୋଗ କରିଛି ଯେ, ଭାରତୀୟ ସୈନିକ ସୀମା ଅତିକ୍ରମ କରି ଚୀନ ସେନା ଉପରେ ଆକ୍ରମଣ କରିଥିଲେ। ତେଣୁ ଭାରତକୁ ଏମିତି ସ୍ଥିତିରେ ଏକତରଫା କାର୍ଯ୍ୟାନୁଷ୍ଠାନ ନକରିବା ଉଚିତ୍ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି। (ଏଜେନ୍ସି)