ପରଲୋକରେ ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ |

ଭୁବନେଶ୍ୱର : ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଏହା ଏକ ସଂଯୋଗ ଯେ ଜନ୍ମମାସରେ ତଥା ୯୮ତମ ଜନ୍ମଦିନ ପାଳନର ୩ ଦିନ ପରେ ତାଙ୍କର ଦେହାବସାନ ଘଟିଛି। ଅସୁସ୍ଥତା ଯୋଗୁଁ ସେ ଚିକିତ୍ସାଧିନ ଥିଲେ। ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅସୁସ୍ଥତା କାରଣରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଗୁରୁବାର ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି।

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଏକାଧାରରେ ଜଣେ ଦେଶପ୍ରେମୀ, ବିଶିଷ୍ଟ ରାଜନୀତିଜ୍ଞ ଓ ସମାଜସେବୀ ଭାବେ ପରିଚିତ। ୧୯୬୧, ୧୯୬୬ ଓ ୧୯୭୮ରେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୨୨ ମସିହା ମେ’ ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଦେଶର ବହୁ ବରିଷ୍ଠ ରାଜନେତାଙ୍କ ସଂସ୍ପର୍ଶରେ ଆସିଥିଲେ। ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କର ସେ ଥିଲେ ଘନିଷ୍ଠ। ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।