ଭୁବନେଶ୍ୱର,୧୭।୬ : ଡୁମୁଡୁମା ହାଉସିଂବୋର୍ଡ କଲୋନୀରେ ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୭ ବର୍ଷର ଜଣେ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପୂର୍ବରୁ ଆକ୍ରାନ୍ତ ଥିବା ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ୍ ହୋଇଥିବା ବିଏମ୍ସି ତଥ୍ୟ ଦେଇଛି । ଦିନକୁ ଦିନ ନୂଆ ଆକ୍ରାନ୍ତ ବାହାରିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ୧୪ ତାରିଖରେ ଡୁମୁଡୁମା ଫେଜ୍-୨ରୁ ଜଣେ ୨୨ବର୍ଷୀୟ ଯୁବକ ପଜିଟିଭ୍ ବାହାରିଥିଲେ । ସେ ପୁନେରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ୧୩ ତାରିଖରେ ଡୁମ୍ଡୁମା ହାଉସିଂବୋର୍ଡ କଲୋନୀରୁ ଜଣେ ୪୮ବର୍ଷୀୟ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ସ୍ଥାନୀୟ ସଂକ୍ରମିତ ହୋଇଥିବା ବିଏମ୍ସି ତଥ୍ୟ ଦେଇଥିଲା । ୯ ତାରିଖରେ ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ୨୯ବର୍ଷର ଯୁବକ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ସପ୍ତାହ ଭିତରେ ଗୋଟିଏ ଅଞ୍ଚଳରୁ ୪ ପଜିଟିଭ୍ ବାହାରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି ।