ଜରାଯିର୍ଣ ଅବସ୍ଥାରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା l

କୋଇଡା :(ଡମୁ ପାତ୍ର )ସମଗ୍ର ରାଜ୍ୟରେ କୋଇଡା ଏକ ପରିଚିତ ବ୍ଲକ l ରାଜ୍ୟ ରାଜକୋଷ ଓ ଜିଲ୍ଲା ଖଣିଜ ପାଣ୍ଠିକୁ ସିଂହ ଭାଗ ଯୋଗାଉଥିବା ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ସ୍ଥିତି ଏବେ କେମିତି ଅଛି ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ଜଣା l ରତ୍ନ ଗର୍ଭା ବୋଲାଉଥିବା କୋଇଡା ବ୍ଲକ ଏବେ ଶ୍ରୀହୀନ ହୋଇପଡିଛି l ସମସ୍ତେ କାନ୍ଦୁଛନ୍ତି କିନ୍ତୁ କାହା ଆଖିରେ ଲୁହ ନାହିଁ l ନେତାଠୁ ଅଫିସର ପର୍ଯ୍ୟନ୍ତ ସମସ୍ତେ ନିରବ ଦ୍ରଷ୍ଠା ସାଜିଛନ୍ତି l ଏପରି ସ୍ଥିତିରେ ସାଧାରଣ ଜନତା ଟିଏ କାହାକୁ ନିଜ ଗୁହାରି ଜଣାଇବ l ଯେଉଁଠି ଚାଲିବା ପାଇଁ ଭଲ ରାସ୍ତାଟିଏ ନାହିଁ ସେ ଅଞ୍ଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ପରି ମୌଳିକ ଅଧିକାର କଥା ପିଚାରେ କିଏ l ଏ ସମସ୍ତ ସମସ୍ୟାରେ ଅଞ୍ଚଳବାସୀ ଜୁଡୁବୁଡୁ ହେଉଥିବା ବେଳେ ଆଉ ଏକ ନୂଆ ସମସ୍ୟା ଅଞ୍ଚଳ ବାସୀଙ୍କ ଚିନ୍ତାର ବିଷୟ ପାଲଟିଛି l କିଛି ବର୍ଷ ପୂର୍ବରୁ କୋଇଡା ଅଞ୍ଚଳର ବାହାଘର, ବ୍ରତଘର,ହେଉ ବା ଯେକୌଣସି ରାଜନୈତିକ ବୈଠକ କିମ୍ବା ସାଧାରଣ ବୈଠକ ହେଲେ କୋଇଡା ପି ଡବ୍ଲୁ ଡି ଡାକବଙ୍ଗଳା ଉପରେ ସମସ୍ତେ ନିର୍ଭର କରୁଥିଲେ l ଏମିତିକି ବଡ଼ ବଡ଼ ସରକାରୀ ବାବୁ ମାନେ ମଧ୍ୟ ନିଜ ଗସ୍ତ ସମୟରେ ରହଣି ପାଇଁ ଡ଼ାକବଙ୍ଗଳାଟି ଏକ ମାତ୍ର ସାହା ହେଉଥିଲା l 2003/04 ମସିହାରେ ପୂର୍ତ୍ତ ବିଭାଗ (PWD) ରୁ ଜାତୀୟ ରାଜପଥ (NH) 215 ବିଭାଗକୁ ଓ 2007/08 ମସିହାରେ NH 215ରୁ NHAI 520କୁ ହସ୍ତାନ୍ତର ହୋଇଥିଲା l ବିଭାଗରୁ ବିଭାଗ ବଦଳିଲା ସତ କିନ୍ତୁ ଡାକବଙ୍ଗଳାର ସ୍ଥିତି ବଦଳିଲା ନାହିଁ l ପ୍ରାୟ 2 ଏକର ପରିଧିରେ ନିର୍ମିତ ଡାକବଙ୍ଗଳାଟି ଏବେ ରକ୍ଷଣା ବ୍ୟଖଣା ଅଭାବରୁ ଆଜି ଜରାଜୀର୍ଣ ଅବସ୍ଥାରେ ପଡ଼ିରହିଛି l ଦିନକୁ ଦିନ ଦୁର୍ବୁତ୍ତ ମାନଙ୍କ ଆଡା ସ୍ଥଳୀ ପାଲଟିବାରେ ଲାଗିଛି l ଯଥାଶୀଘ୍ର ଏହାର ମରାମତି କରି କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି l