ବାଣପୁର:-୨୮/୩(ବିକାଶ ସେଠି):-ପୂରାଣ ମତରେ ହିମାଳୟ ପାଦଦେଶରେ ଏକ ରମଣୀୟ ଉଦ୍ୟାନ ରହିଥିଲା । ଏହି ଉଦ୍ୟାନଟିରେ ନାନା ଜାତିର ବୃକ୍ଷଲତା ଥିବାସହ ବିଭିନ୍ନ ପ୍ରଜାତିର ପଶୁ-ପକ୍ଷୀ ଅତି ଆନନ୍ଦରେ ରହୁଥିଲେ । ଏହି ବନରେ ସୁଧର୍ମା ନାମକ ଜଣେ ଚଢ଼େୟା ଘୋର ତପସ୍ୟା କରି ଶିବଙ୍କ ସାନ୍ନିଧ୍ୟ ଲାଭ କଲା । ତେଣୁ ଦଣ୍ଡନାଟ ପରିବେଷଣ ସମୟରେ ଶିବ ନାଚି ନାଚି ଗାଇଥାନ୍ତି –:
‘ଅପୁତ୍ରିକ ସୁଧର୍ମା ଯେ କଲା ଯେଉଁ ବ୍ରତରେ
ତେଣୁ ଆମ୍ଭେ ବର ଦେଲୁ
ହେଲା ତା’ର ପୂତ ହେ…
ଥାଇଣ ପାର୍ବତୀ ବନେ
ଦ୍ରୋହ ସେତ କଲାରେ
ଏଣୁ ଆମ୍ଭ ଶାପ୍ୟରୁ ସେ
ନେତ୍ରହୀନ ହେଲା…
ଧନ୍ୟତାର ଜନନୀରେ କଲା ଯେଉଁଭକ୍ତି
ତେଣୁ ଆମ୍ଭେ ବର ଦେଲୁ
ଲଭିଲା ମୁକତି ।
ଏହି ସୁଧର୍ମାର ତେରଗୋଟି ପୁତ୍ର ମଧ୍ୟରୁ ଚହଟମଣି ଏକ ପୁତ୍ର ଥିଲା । ଥରେ ସୁଧର୍ମାର ପତ୍ନି କୌଣସି ଏକ ଦ୍ରୋହ କରିବା କାରଣରୁ ଶିବଙ୍କ ଠାରୁ ଅଭିଶାପ ପାଇ ବନ ମଧ୍ୟରେ ଅତି ଦୁଃଖରେ ଜୀବନ ଅତିବାହିତ କରୁଥିଲା । ପରେ ସେ ପୁଣି ପ୍ରାର୍ଥନା କରି ଶିବଙ୍କ ଠାରୁ ଶାପମୁକ୍ତ ହୋଇଥିଲେ । ପିତାମାତା ମରିଗଲା ପରେ ସେହି ଚହଟମଣି ପତ୍ନୀ ହେମା ଏବଂ ଦ୍ୱିତୀୟ ପତ୍ନୀ ବା ଶାଳୀ ଜେମାକୁ ପାଇ ଅତ୍ୟନ୍ତ ଖୁସିରେ କାଳାତିପାତ କରୁଥିଲା । କିନ୍ତୁ ଦୁଃଖର କଥା ସେମାନଙ୍କର କିଛି ପୂତ୍ର ସନ୍ତାନ ନଥିଲା । ଅପରପକ୍ଷରେ ପୁଣି ତିନିପ୍ରାଣି କୁଟୁମ୍ବ ପାଳିବା ଚହଟମଣି ପାଖରେ ଅସାଧ୍ୟ ହେବାକୁ ଲାଗିଲା । ତେଣୁ ସେ ଶିବଙ୍କୁ ପ୍ରାର୍ଥନା କରି ବର ମାଗିଲା ଯେ, ‘ପ୍ରଭୁ ମୋତେ ଏପରି ଏକ ଫାଶ ଦିଅନ୍ତୁ, ଯାହାକୁ ଦେଖିବା ମାତ୍ରେ ପକ୍ଷୀମାନେ ଆପେ ଆପେ ଆସି ସେ ଫାଶରେ ଲାଗିଯିବେ । ମୁଁ ତାଦ୍ୱାରା ଉଦର ପୋଷଣ କରି ସୁଖରେ ରହିବି ।’ ଏହି ଚହଟମଣି ଚଢ଼େଇ ମାରି ଉଦର ପୋଷଣ କରିବାର ମନସ୍କାମନା କରିଥିବାରୁ ତାକୁ ଚଢ଼େୟା କୁହାଗଲା ।
ଚହଟମଣିର ଉକ୍ତି ଅନୁସାରେ ତାକୁ ମୃତ୍ୟୁର ଫାଶକୁ ପ୍ରଦାନ କରିବା ନିମନ୍ତେ ଶିବ ମୃତ୍ୟୁର ଦେବତା ଯମକୁ ସ୍ମରଣ କଲେ ଏବଂ ଯେତେବେଳେ ଯମଙ୍କ ନିକଟରେ ଏକଥା ପ୍ରକାଶ କଲେ, ସେତେବେଳେ ଯମ କହିଲେ, ‘ପ୍ରଭୁ, ସକଳ ଜୀବଙ୍କ ମୃତ୍ୟୁର ଫାଶର ଅଧିକାରୀ ହେଉଛନ୍ତି ସ୍ୱୟଂ ସୃଷ୍ଟିକର୍ତ୍ତା । ଆଉ ଏହି ମୃତ୍ୟୁର ଫାଶ ଯେତେବେଳେ ସାଧାରଣ ମାନବ ହାତରେ ଆପଣ ଅର୍ପଣ କରିବେ ତେବେ ସୃଷ୍ଟିର ଅମଙ୍ଗଳ ହେବ । ତେଣୁ ଶିବ ଯମଙ୍କ ଯୁକ୍ତିକୁ ସମ୍ମାନ ପ୍ରଦର୍ଶନ କରି ଏକ ସର୍ତ୍ତ ରଖି ଚହଟମଣି ଚଢ଼େୟାକୁ ମୃତ୍ୟୁର ଫାଶ ପ୍ରଦାନ କଲେ ଏବଂ ସେହି ସର୍ତ୍ତଟି ହେଲା – ‘ହେ ଭକ୍ତ ଆମ୍ଭ ପ୍ରିୟ ପକ୍ଷୀ ରାଜହଂସ, ଶୁଆ, ଶାରି, କପୋତ, ମୟୂର ଏମାନଙ୍କୁ ଛାଡ଼ି ଅନ୍ୟାନ୍ୟ ବନପକ୍ଷୀମାନଙ୍କୁ ତୁମ୍ଭେ ଫାଶବିଦ୍ଧ କରି ମାରିବ ଆଉ ଦିନରେ ଗୋଟିଏ ପକ୍ଷୀରୁ ଅଧିକ ପକ୍ଷୀ ବଧ କରିବ ନାହିଁ । ଶୁଆ, ଶାରୀ, ରାଜହଂସ, ମୟୂର ଆଦି ପକ୍ଷୀକୁ ବଧ କଲେ ତୁମ୍ଭେ ନିଶ୍ଚୟ ଅକାଳ ମୃତ୍ୟୁ ଲାଭ କରିବ ।’
ଚହଟ ମଣି ଶିବଙ୍କ ପାଖରୁ ଫାଶଟି ନେଇ ସ୍ୱଗୃହକୁ ଗମନ କଲେ । ଚହଟମଣିର ସ୍ତ୍ରୀ’ମାନେ ତା’ର ବର ପ୍ରାପ୍ତ କଥା ଶୁଣି ଗୁଡ଼ିଏ ପକ୍ଷୀ ମାରି ଆଣିବାକୁ ପ୍ରବର୍ତ୍ତାଇଲେ । ଚହଟମଣି ମଧ୍ୟ ଅତ୍ୟନ୍ତ ଲୋଭର ଶିକାର ହୋଇ ଏକାଧିକ ପକ୍ଷୀ ଶିକାର କରିବାକୁ ଲାଗିଲା । ଏହି କଥାଟିକୁ କବି ଦଣ୍ଡପାଣି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି –
ଚଢ଼େୟା – ଶୁଣ ଆହେ ପ୍ରାଣସହୀ ଧରି ଆଣିବି ମୁଁ ପକ୍ଷୀଙ୍କୁ ଯାଇ
ବିକିବ ଯତନେ ଗ୍ରାମେ ଗ୍ରାମେ ତୁମ୍ଭେ ଯାଇ
ଚଢ଼େୟାଣୀ – ଶୁଣ ଆହେ ପ୍ରାଣନାଥ ନମାର ଶାରୀ, ଶୁଆ, ରାଜହଂସ
ମୟୂର, କପୋତ କରିଛ ଶିବେ ଶପଥ ।
ଚଢ଼େୟା – ଚଢ଼େୟା ବୀର ମୋ ନାମ ପକ୍ଷୀ ଜନ୍ତୁ ମାରି ଧରେ ଜୀବନ
କିପରି ଛାଡ଼ିବି ସେହି ଭଲ ପକ୍ଷୀମାନ ।
ଚଢ଼େୟାଣୀ -ମୋ ରାଣ ଶୁଣ ହେ ନାଥ କେବେ ନ ମାରିବ ଏହି ପକ୍ଷୀ ତ
ଶିବ ଶିବା ପାଶେ କରିଚ ଯେଉଁ ଶପଥ ।
ଏଣୁ ପକ୍ଷୀମାନେ ଆତ୍ମରକ୍ଷା ନିମନ୍ତେ ଗରୁଡ଼ଙ୍କୁ ଦୁଃଖ ଜଣାଇଲେ । ପକ୍ଷୀମାନଙ୍କ ଦୁଃଖ ସହିନପାରି ଗରୁଡ଼ ଶିବଙ୍କୁ ପ୍ରାର୍ଥନା କଲେ। ଶିବ ଚଢ଼େୟାକୁ ସତର୍କ କରେଇବା ନିମନ୍ତେ ଡୁବୁଡୁବା ବେଶରେ ଚଢ଼େୟାକୁ ଭବିଷ୍ୟତ ବିଷୟରେ ସତର୍କ କରାଇଲେ । ତଥାପି ଯେତେବେଳେ ଚଢ଼େୟା ଏକାଧିକ ପକ୍ଷୀ ହତ୍ୟା କରିଚାଲିଲା ସେତେବେଳେ ଶିବଙ୍କ ଅଭିଶାପରେ ସର୍ପାଘାତରେ ତା’ର ମୃତ୍ୟୁ ଘଟିଲା । ଚଢ଼େୟାର ମୃତ୍ୟୁ ପରେ ତା’ର ସ୍ତ୍ରୀ’ମାନେ ଯେତେବେଳେ ଦୁର୍ଗାଙ୍କୁ ପ୍ରାର୍ଥନା କଲେ ସେତେବେଳେ ମା’ଦୁର୍ଗା ସେମାନଙ୍କ ଦୁଃଖ ସହି ନପାରି ଧନ୍ୱନ୍ତରିଙ୍କୁ ପ୍ରେରଣ କରି ଚଢ଼େୟାକୁ ପୁନଃ ଜୀବନ ପ୍ରଦାନ କଲେ ଏବଂ ହରଗୌରିଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦଣ୍ଡଯାତ୍ରା ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ।
ଦଣ୍ଡଯାତ୍ରାର ଅବଧି ଭିନ୍ନ ଭିନ୍ନ ଯଥା ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ । ସାଧାରଣତଃ ଚୈତ୍ର ପ୍ରତିପଦା ଠାରୁ ମାସନ୍ତ ପର୍ଯ୍ୟନ୍ତ ହୁଏ ଦଣ୍ଡ ନାଚ ଯାହା ସଂକ୍ରାନ୍ତି ତିଥିରେ ମେରୁ ଯାତ୍ରା ଭାବେ ଶେଷ ହୁଏ । ମାନସିକଧାରୀମାନେ ନିଜ ଅଞ୍ଚଳର ଦଣ୍ଡ ନାଚ ଦଳ ସହ ସାମିଲ ହେବା ପାଇଁ ନିବେଦନ କରିଥାନ୍ତି । ଯାତ୍ରା ପୂର୍ବଦିନ ଦଣ୍ଡୁଆମାନେ ଦେବୀ ମନ୍ଦିରରେ ଅଧିଆ ପଡ଼ିବା ସହ ନିର୍ଜଳ ଉପବାସ ରୁହନ୍ତି । ପର ଦିନ ମାଆଙ୍କ ମୁଖ୍ୟ ଆୟୁଧ ଦଣ୍ଡ ମିଳିବା ପରେ ପାଟ ଦଣ୍ଡୁଆଙ୍କ ସହ ଗ୍ରାମ ପରିକ୍ରମା କରି ପୋଖରୀରେ ସ୍ନାନାଦି ପରେ କାନ୍ଦୁଲ କାଠିକୁ ଘଷି ସେଥିରୁ ଅଗ୍ନି ଉତ୍ପନ୍ନ କରନ୍ତି । ଅଗ୍ନିସ୍ଥାପନ ସହ ଆରମ୍ଭ ହୁଏ ଦଣ୍ଡ ଯାତ୍ରା । ମାଆଙ୍କ ପୂଜା, ହୋମ, ଭୋଗ ଅର୍ପଣ କରାଯାଏ। ଦଳ ସହ ସର୍ବଦା ଥାଏ ଶକ୍ତିଙ୍କ ପ୍ରତୀକ ପ୍ରଭା ଓ ମହାଦେବଙ୍କ ମୂର୍ତ୍ତି । ପାଳ ଗୁଡ଼ାଇ ଗୁଡ଼ାଇ ତିଆରି କରାଯାଇଥାଏ ଗଦି, ଯେଉଁଥିରେ ଦଣ୍ଡ ନାଚ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନି ସର୍ବଦା ପ୍ରଜଳିତ ରହିଥାଏ । ପୂଜା, ଦୀପ ପ୍ରଜ୍ଜଳନ, ରୋଷେଇ ଆଦି ପାଇଁ ଏଥିରୁ ହିଁ ଅଗ୍ନି ସଂଯୋଗ କରାଯାଏ । ଖୋଲା ପଡ଼ିଆ, ଗ୍ରାମ/ବସତି ବାହାରେ, ନିକାଞ୍ଚନ ଜାଗାରେ ରହିଥାନ୍ତି ଦଣ୍ଡୁଆ । ଭୋଜନ, ଶୟନ, ବିଚରଣ ସବୁକିଛି ଧରାବନ୍ଧା ନିୟମ ଭିତରେ କରିବାକୁ ହୁଏ । ଭୋଜନ ପାଇଁ କଟା ବଟା ମନା, ଥରେ ହିଁ ପ୍ରସାଦ ରୋଷେଇ ଓ ସେବନ ହୁଏ । ସେହି ସମୟରେ କୌଣସି ଶବ୍ଦ ନ ହେବା ବିଧେୟ । ନାରୀ ସଙ୍ଗ, ମୈଥୁନ, ଆମିଷ ଆଦି ସମ୍ପୂର୍ଣ୍ଣ ବାରଣ। ଦଣ୍ଡୁଆମାନଙ୍କ ପାଇଁ ନାରୀ ହେଉଛନ୍ତି ମାତୃ ବା ଦୈବୀଶକ୍ତିର ପ୍ରତୀକ। ନିଷ୍ଠାପର ଜୀବନ ଜୀଉଁଥିବାରୁ ଯାତ୍ରା ବେଳେ କୌଣସି ଛୁଆଁଅଛୁଆଁ, ମୃତ୍ୟୁ ବା ଜନ୍ମଜନିତ କଟକଣା ଏମାନଙ୍କ ଉପରେ ଲାଗୁ ହୁଏନି। ଦଣ୍ଡୁଆମାନଙ୍କ ହାତରେ ଥିବା ଦଣ୍ଡ ଓ ମୟୁର ପୁଞ୍ଛରେ ପିଲାମାନେ ଝାଡ଼ି ହେଲେ ରୋଗ ଓ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି।
ଦଣ୍ଡ ନାଚରେ ପ୍ରତ୍ୟହ ପାଳିତ ହୁଏ ୧୬ଟି ବିଧି ବା ଦଣ୍ଡ। ଯାତ୍ରା ଆୟୋଜକଙ୍କ ଘର ଆଗରେ ପତାକା ସ୍ଥାପନରୁ ଆରମ୍ଭ ହୁଏ ପ୍ରକ୍ରିୟା । ମଧ୍ୟାହ୍ନରେ ଧୂଳି ଦଣ୍ଡ ବେଳେ ପ୍ରଚଣ୍ଡ ଖରାରେ ମାଟି ବା ଧୂଳିରେ ଗଡ଼ି ଶରୀରକୁ କଷ୍ଟ ଦେଇ ନାଚ ହୁଏ । ତା ପରେ ପୋଖରୀରେ ପାଣି ଦଣ୍ଡ ଓ ନିଜ ରହଣୀସ୍ଥଳରେ ଅଗ୍ନି ଦଣ୍ଡ କରିବା ପରେ ମଧ୍ୟରାତ୍ରରେ ପୁଣି କର୍ତ୍ତାଙ୍କ ଘରକୁ ଆସନ୍ତି ଦଣ୍ଡୁଆ । ସେଠାରେ ପୂଜାର୍ଚ୍ଚନା ସହ ହୁଏ ନୃତ୍ୟ ପ୍ରଦର୍ଶନ । ସମ୍ପୂର୍ଣ୍ଣ ଶୟନ ନିଷେଧ ଥିବାରୁ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଦଣ୍ଡୁଆଙ୍କୁ ନୃତ୍ୟ ଜରିଆରେ ଭଗବାନଙ୍କ ବିଭିନ୍ନ ଆଖ୍ୟାନ ଶୁଣାଯାଏ । ଦଣ୍ଡ ଯାତ୍ରାରେ ଦେଖିବାକୁ ମିଳେ ପାରମ୍ପରିକ ଚଢ଼େୟା- ଚଢ଼େୟାଣୀ, ନଟ- ନଟୀ, ଶବର- ଶବରୁଣୀ, ଧୋବା- ଧୋବଣୀ, କେଳା- କେଳୁଣୀଙ୍କ ନାଟ। ପାହାନ୍ତା ପ୍ରହରରେ ବୀଣାକାର ବିଭିନ୍ନ ଦଣ୍ଡ ସୁଆଙ୍ଗ (ଗୀତ) ଶୁଣାଇଥାନ୍ତି । ଏହା ପରେ କର୍ତ୍ତାଙ୍କ ଭବନ ଆଗରୁ ବିଦାୟ ନେଇଥାନ୍ତି ଦଣ୍ଡ ଦଳ। ସଂକ୍ରାନ୍ତି ତିଥିରେ ଦଣ୍ଡ ଦଳ ନିଜ ଗ୍ରାମକୁ ଫେରନ୍ତି । ସମାରୋପ କୁହାଯାଉଥିବା ମେରୁ ପର୍ବରେ ବିଭିନ୍ନ ନୀତି ସମ୍ପନ୍ନ ପରେ ଓଲଟା କରି ନିଆଁର ଧାସ ଉପରେ କିଛି ସମୟ ଝୁଲନ୍ତି ପାଟ ଦଣ୍ଡୁଆ। ଏହା ଏତେ କଷ୍ଟଦାୟକ ଯେ ଶରୀରରୁ ରକ୍ତ ସୁଦ୍ଧା ନିର୍ଗତ ହୋଇପଡ଼େ ଓ ଅନେକ ସମୟରେ ସେ ଅଚେତ ହୋଇଯାଆନ୍ତି।
ବାଣୀକାର ଙ୍କ କଣ୍ଠ ରୁ-
“ହେ ଋଷିପୁତ୍ରେ!
ଅଇଲେ ହର, ଦେଇଗଲେ ବର
ଅନ୍ୟ ସେବା ଛାଡ଼ି ଏ ସେବା କର
ଏ ସେବା କଲେ କି ଫଳ ପାଏ
ଉଷୁନାଧାନ ଗଜା ହୁଏ
ଶୁଖିଲା କାଠ କଞ୍ଚା ହୁଏ
ଭଜାମୁଗ ଗଜା ହୁଏ
ଅପୁତ୍ରିକ ପୁତ୍ରଦାନ ପାଏ
ଅନ୍ଧ ଚକ୍ଷୁଦାନ ପାଏ
ଜରାରୋଗ ଭଲ ହୁଏ”…
ଜୟ ମା’ ଦଣ୍ଡକାଳି 🙏🙏