ବାଣପୁର, ୫।୧୦, ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଶିଶୁ ଶିକ୍ଷା ଅଧିକାର, ତଥା ଗ୍ରାମୀଣ ପାଠଶାଳା ଓ ପାଠାଗାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆଜି ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ଶିକ୍ଷକ, ଅଭିଭାବକ, ଓ ଶିଶୁ ମାନଙ୍କର ଏକ କର୍ମଶାଳା ଆୟୋଜନ କରାଯାଇଥିଲା ଗତ ୨ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଶିଶୁ ମାନଙ୍କ ଶିକ୍ଷା ବ୍ୟବସ୍ଥା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି।ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଗ୍ରାମଞ୍ଚଳରେ ଶିଶୁ ମାନଙ୍କୁ ଶିକ୍ଷା ସହ ଯୋଡି ରଖିବାର ପ୍ରୟାସ ଜାରି ରହିଛି । ଏହାକୁ ଏକ ଅଭିଯାନ ଭାବେ ପ୍ରତେକ ଶିଶୁ ଓ ଅଭିଭାବକ ମହଲରେ ପହଞ୍ଚାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟଶାଲା ରେ ବିଭିନ୍ନ ଗ୍ରାମର୧୦୦ରୁ ଉର୍ଦ୍ଧ ଶିଶୁ, ଅଭିଭାବକ ଯୋଗ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ଶିକ୍ଷକ, ଶିଶୁ ସାହିତ୍ୟିକ ଶ୍ରୀ ଶିବ ପ୍ରସାଦ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ରଥ, ତଥା ଶ୍ରୀ ଆନନ୍ଦ ଚନ୍ଦ୍ର ସେନାପତି, ଶିକ୍ଷକ ଶ୍ରୀ,ତ୍ରିଲୋଚନ ବାରିକ ତଥା ସମ୍ବାଦପତ୍ରର ସାଥୀମାନେ ଯୋଗଦେଇ ଅଭିଭାବକ ଓ ଶିଶୁ ମାନଙ୍କୁ ଶିଶୁ କବିତା, କାହାଣୀ ମାଧ୍ୟମରେ ଶିଶୁଙ୍କ ଚରିତ୍ର ଗଠନ ତଥା ଅଭିଭାବକ ଦାୟିତ୍ୱ ପ୍ରତି ଉତ୍ସାହିତ କରିଥିଲେ । ଆଜି ମହାନ ଶିଶୁ ସହୀଦ ବାଜି ରାଉତ ଙ୍କ ଜନ୍ମ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ତାଙ୍କରି ଉଦ୍ଦେଶ୍ୟ ରେ ଉତ୍ସର୍ଗୀକୃତ କରାଯାଇଥିଲା ବାଜିରାଉତ ଙ୍କ ପରି ପ୍ରତ୍ୟେକ ଶିଶୁ ନିଜ ଜନ୍ମମାଟି ପାଇଁ ନିଜକୁ ନିର୍ଭୀକ ଭାବେ କାମ କରିବାକୁ ସଂକଳ୍ପ କରାଯାଇଥିଲା ତଥା ଏହିପରି ବାଣପୁର ର ଦୁଇ ଶିଶୁ ସହୀଦ ଯାହା ଲୋକ ସ୍ମୃତି ରୁ ଦୂରରେ ସେମାନେ ହେଲେ ସହୀଦ ଦୁଖୀଧନ ଓ ସହୀଦ ଏଙ୍କୁଡ଼ିରତନ ଙ୍କୁ ମଧ୍ୟ ବାଣପୁର ର ପ୍ରତ୍ୟେକ ଶିଶୁଙ୍କ ହୃଦୟରେ ଜଗାଇବାର ନିଷ୍ପତ୍ତି ନିଆଯାଇଛି। ଏହିକାର୍ଯ୍ୟକ୍ରମକୁ ମାନେଜିଙ୍ଗ ଟ୍ରଷ୍ଟି ସଂଧ୍ୟାଦେବୀ ପରିଚାଳନା କରିଥିଲେ,ଓ ସୁଶ୍ରୀ ଟୁନି ଦାସ, ଶ୍ରୀ ଜିତେନ୍ଦ୍ର ବରାଳ,ଶ୍ରୀ ଶରତ ଚନ୍ଦ୍ର ବାରିକ ଆଦି ସହଯୋଗ କରିଥିଲେ ।