ଇ-ଶ୍ରମ କାର୍ଡ କରିବାକୁ ବ୍ୟାପକ ଠକେଇ ଜନସେବା କେନ୍ଦ୍ର ଆଗରେ ଅସମ୍ଭାଳ ଭିଡ଼

କାଳୁପଡ଼ା ଘାଟ:-୦୨/୧୦(ବିନୁ ଦାସ୍):- କେନ୍ଦ୍ର ସରକାର ଅଣ ସଙ୍ଗଠିତ ଶ୍ରମିକ ମାନଙ୍କ ପଞ୍ଜିକୃତ ପାଇଁ ଇ-ଶ୍ରମ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି।ଏହି ଶ୍ରମ କାର୍ଡ କୁ ୧୮ ଵର୍ଷ ରୁ ୬୦ ବର୍ଷ ପର୍ଯ୍ୟନ୍ତ ରୋଜଗାର କ୍ଷମ ବ୍ୟକ୍ତି ଆବେଦନ କରି ପାରିବେ ସେଥିପାଇଁ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ପ୍ରଣୟନ କରିଛନ୍ତି। ଯେଉଁଥିରେ ବିଭିନ୍ନ ବର୍ଗର ଶ୍ରମିକ, ବ୍ୟବସାୟୀ ଏପରିକି ଡ୍ରାଇଭର ଠାରୁ ଆରମ୍ଭ କରି ୧୫୫ ଟି କ୍ରାଇଟେରିଆ ରେ ଆବେଦନ କରିହେବ । ଜଣେ ବ୍ୟକ୍ତି ଚାହିଁଲେ ନିଜର ଆଣ୍ଡ୍ରୋଏଡ଼ ମୋବାଇଲ ଜରିଆରେ ଆବେଦନ କରି ପାରିବେ ଯଦି ନିଜର ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଠିକ ଅଛି କିନ୍ତୁ ଯେଉଁମାନେ ନିଜର ଆଧାର କାର୍ଡ ସହ ମୋବାଇଲ ନମ୍ବର ଲିଙ୍କ କରି ନାହାନ୍ତି କିମ୍ବା ଆବେଦନ କିପରି ହୁଏ ଜାଣିନାହାନ୍ତି ସେମାନେ ବାଧ୍ୟହୋଇ ଜନସେବା କେନ୍ଦ୍ର ରେ ଭିଡ଼ ସୃଷ୍ଟି କରୁଛନ୍ତି।ଏଠାରେ ସୂଚନାଯୋଗ୍ୟ କି ଏହାର ବ୍ୟବସାୟିକ ଫାଇଦା ରଖି କିଛି ଅସାଧୁ ବ୍ୟକ୍ତି ଜନସେବା କେନ୍ଦ୍ର ର ଆଇଡ଼ି ଖୋଲି ଲୋକମାନଙ୍କୁ ଠକିବା ଆରମ୍ଭ କରିଛନ୍ତି। ଆଧାର କାର୍ଡ ଫୋନ ନମ୍ବର ସଂଶୋଧନ ପାଇଁ ସରକାରୀ ସ୍ତରରେ ପଚାଷ ଟଙ୍କା ରହିଥିବା ବେଳେ ଗ୍ରାହକ ପିଛା ଦେଢ଼ଶହ ରୁ ଦୁଇ ଶହ ଟଙ୍କା ବେନିୟମ ଭାବେ ରଖୁଛନ୍ତି ।

ସେହିପରି ଇ-ଶ୍ରମ କାର୍ଡ ଆବେଦନ କୁ ଜନସେବା କେନ୍ଦ୍ର ପ୍ରତି କାର୍ଡ ପିଛା ୧୬ ରୁ ୨୦ ଟଙ୍କା ଅର୍ଥ ରାଶି ପାଇବା ବ୍ୟବସ୍ଥା ଥିଲେବି ପ୍ରତି ଗ୍ରାହକ ପିଛା ଶହେ ଟଙ୍କା ରୁ ଦୁଇଶହ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦାବି କରୁଛନ୍ତି।ସେହିଭଳି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ ଆଇନ ଅନୁଯାୟୀ ସାମାଜିକ ଦୂରତା ବାଧ୍ୟତାମୂଳକ ଥିବାବେଳେ ନାହିଁ ନଥିବା ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି।ଏହିଭଳି ଠକେଇ ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଛକ ଆଧାର ଏବଂ ଜନସେବା କେନ୍ଦ୍ର, କାଳୁପଡ଼ା ଘାଟ ଅଞ୍ଚଳରେ ଥିବା ଆଧାର କାର୍ଡ ସଂଶୋଧନ କେନ୍ଦ୍ର, ଜନସେବା କେନ୍ଦ୍ର,ଆମାଜନ ଷ୍ଟୋର କାଳୁପଡ଼ା ,କାଳୁପଡ଼ା ଅଁଳାଡିହ ଛକର ଏକ କମ୍ପ୍ୟୁଟର ଦୋକାନ ଏହିସବୁ ନିୟମ ଭାଙ୍ଗୁଛନ୍ତି। ଏ ବିଷୟରେ ଆମ ପ୍ରତିନିଧି ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଙ୍କୁ ଅଭିଯୋଗ ଦେଇଛନ୍ତି । ସେହିପରି ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଏ ଦିଗରେ ବିହୀତ ପଦକ୍ଷେପ ସ୍ୱରୂପ ଉକ୍ତ କେନ୍ଦ୍ର ଗୁଡ଼ିକରେ ଚଢ଼ାଉ କରି ଦୃଷ୍ଟାନ୍ତ ମୂଳକ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆମ ପ୍ରତିନିଧି ଏବଂ ସ୍ଥାନୀୟ ଅଧିବାସୀ ମାନେ ଦାବି କରିଛନ୍ତି।