ସାରସ୍ବତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର

ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରାରେ ଜଣେ ଆଦର୍ଶ ଶିକ୍ଷକ,ଶିକ୍ଷାବିଦ୍, ନିସ୍ବାର୍ଥପର ଜନସେବକ, ପ୍ରବୀଣ ରାଜନୀତିଜ୍ଞ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ର ଏକନିଷ୍ଠ ପୂଜାରୀ ଭାବରେ ଏକ ଉତ୍ତୁଙ୍ଗ ଶାସନର ଅଧିକାରୀ।ତାଙ୍କର କାନ୍ତ,କୋମଳ,ଭାବମୟ ତଥା ମଧୁମୟ ଗାଥା ଓ ଗୀତିକବିତା ମାନ ଯୁଗେ ଯୁଗେ ଆମ ସାହିତ୍ୟର ଅମୂଲ୍ୟ ଓ ଅକ୍ଷୟ ସମ୍ପଦ।କବିପ୍ରାଣର ଅନନ୍ତ ବିସ୍ତୁତି,ଜୀବନର ଉଦାରତା,ମାନବତାର ଐଶ୍ଚର୍ଯ୍ୟ ଓ ଉତ୍ତୁଙ୍ଗ ଜୀବନାଦର୍ଶରେ ସମୁଜ୍ଜଳ ତାଙ୍କର କାବ୍ୟ ସାହିତ୍ୟ ଅନନ୍ୟ ଓ ଅତୁଳନୀୟ। ସେ ୨୬ ଅକ୍ଟୋବର ୧୮୮୬ ମସିହା ପୁରୀ ଜିଲ୍ଲା ବାଣପୁର ର ଶ୍ରୀନିବାସପୁର ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପିତାଙ୍କ ନାମ ଲିଙ୍ଗରାଜ ମିଶ୍ର ଓ ମାତା ଙ୍କ ନାମ ଅପସରା ଦେବୀ।ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରାମ ସ୍କୁଲ ରେ ସମାପ୍ତ ହୋଇଥିଲା, ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲା ସ୍କୁଲରେ ତାଙ୍କର ଉଚ୍ଚଶିକ୍ଷା ସମାପ୍ତ ହୋଇଥିଲା।ସେ ୧୯୧୦ ରେ ରେଭେନ୍ସା ମହାବିଦ୍ୟାଳୟରୁ ଦାର୍ଶନିକ ବିଭାଗରେ ସ୍ନାତକ ଡ଼ିଗ୍ରୀ ହାସଲ କଲେ।୧୯୧୨ ମସିହାରେ କଲିକତା ବିଶ୍ବବିଦ୍ୟାଳୟ ରୁ ଅର୍ଥନୀତି ବିଭାଗରେ ସ୍ନାତକୋତ୍ତର।ହାସଲ କଲେ। ୧୯୧୩ ମସିହାରେ ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରେରଣାରେ ସତ୍ୟବାଦୀ ବନବିଦ୍ୟାଳୟ ରେ ଶିକ୍ଷକତାକୁ ଆଦରିନେଇ ତ୍ୟାଗ,ସେବା ଓ ସାଧନାର ‘ବେଦି’ ରେ ନିଜ ଜୀବନକୁ ଉତ୍ସଗ କରିଥିଲେ।ବକୁଳ-ଛୁରିଆନାର ସେହି ରମଣୀୟ ପ୍ରାକୃତିକ ପରିବେଶ ତାଙ୍କୁ ସମ୍ମୋହିତ କରିବା ସାଙ୍ଗକୁ ଅମୃତମୟୀ କବିତା ରଚ଼ନା ପାଇଁ ଉଦବୁଦ୍ଧ କରିଥିଲା। “ଆଲେଖିକା” ର ଗାଥା କବିତାମାନ ପଣ୍ଡିତ ଗୋଦାବରୀଶଙ୍କ ଗଭୀର ଜାତୀୟତାବୋଧ,ସ୍ବଦେଶପ୍ରୀତି, ଐତିହ୍ୟ-ଅନୁରକ୍ତିର ଜୀବନ୍ତ ଆଲେଖ୍ୟ।ଅନୁଭୂତି-ରସାଣିତ ଆବେଗମୟ ପ୍ରାଣପ୍ରାଚ଼ୁର୍ଯ୍ୟ ଭରା ‘କିଶଳୟ’ ଓ ‘କଳିକାର’ କବିତାବଳୀ ଏକ ଅପୂର୍ବ ଐଶ୍ଚର୍ଯ୍ୟରେ ବିଭବଶାଳୀ। ‘ମୁକୁନ୍ଦ ଦେବ’ ଓ ‘ପୁରୁଷୋତ୍ତମ ଦେବ’ ଐତିହାସିକ ନାଟକ ଦ୍ବୟ ତାଙ୍କ ଉତ୍କଳାନୁଗାରରେ ସୁସ୍ପଷ୍ଟ ନିଦର୍ଶନ।କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ପୁରସ୍କୃତ ତାଙ୍କର ଆତ୍ମଜୀବନୀ ଗ୍ରନ୍ଥ “ଅର୍ଦ୍ଧଶତାବ୍ଦୀରେ ଓଡ଼ିଶା ଓ ତହିଁରେ ମୋ ସ୍ଥାନ” ତତ୍କାଳୀନ ଓଡ଼ିଶାର ସାମାଜିକ,ସାଂସ୍କୃତିକ,ରାଜନୈତିକ ତଥା ଆର୍ଥନୈତିକ ଜୀବନଧାରାରେ ଏକ ସତ୍ୟନିଷ୍ଠ ବିବରଣୀ। ଏହାବ୍ୟତୀତ ଚ଼ୟନିକା,କବିତାୟନ,ଗୀତାୟନ ଓ କବିତାଗ୍ରନ୍ଥ ଆଦି କେତେକ ପାଠ୍ୟପୁସ୍ତକ ଓ ତତସହିତ ବହୁ ଶିଶୁ-କବିତା ରଚ଼ନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି। ସେ ‘ଘଟାନ୍ତର’, ‘ଅଭାଗିନୀ’, ‘ଅଠର ଶହ ସତର’ଓ ‘ନିବାସିତ’ ଉପନ୍ୟାସର ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ। ଅନ୍ୟ ଉପନ୍ୟାସଗୁଡିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ପ୍ରକାଶିତ।ତାଙ୍କର ଗାଥା କବିତା ଗୁଡ଼ିକ ହେଲା କାଳିଜାଈ,ଅଭିରାମ ସିଂହ,ଧରଣୀଧର।୧୯୧୯ ମସିହାରେ ସିଂହଭୂମି ଯାଇ ସେଠାରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କଳ୍ପେ କେତେକ ଉଚ୍ଚବିଦ୍ୟାଳୟ ସମେତ ବହୁ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ।ଚ଼କ୍ରଧରପୁର ବିଦ୍ୟାଳୟ କୁ ସେ ଏକ ଜାତୀୟ ବିଦ୍ୟାଳୟ ଭାବରେ ପରିଣତ କରି ପ୍ରଧାନଶିକ୍ଷକ ଦାୟିତ୍ବ ଗ୍ରହଣ କରିଥିଲେ।ପରବର୍ତ୍ତୀ ସମୟରେ ବାଣପୁର ନିର୍ବାଚ଼ନ ମଣ୍ଡଳୀ ର ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ।ସେ ମହାରାଜା କୃଷ୍ଣଚ଼ନ୍ଦ୍ର ଗଜପତିଙ୍କ ମତ୍ନୀ ମଣ୍ଡଳରେ ଶିକ୍ଷାମତ୍ନୀ ହୋଇଥିଲେ।ତାଙ୍କରି ଉଦ୍ୟମରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପଣ୍ଡିତ ଗୋଦାବରୀଶ ମିଶ୍ର ୨୬ ଜୁଲାଇ ୧୯୫୬ ମସିହାରେ ମୃତ୍ୟୁବରଣ କରିଥିଲେ।ଆଜି ତାଙ୍କର ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ ଶତ ଶତ ପ୍ରଣାମ ।

ଲେଖକ- ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର
ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍- ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

ବିଶ୍ବବିଜୟୀ ଦାଶ