ଢେଙ୍କାନାଳ, ୩୦/୩(ଶୁଭମ ପାଣି): ଢେଙ୍କାନାଳ ସହରସ୍ଥ ଆନନ୍ଦ ବଜାର ହୀରାସାଗର ପୋଖରୀ ଦକ୍ଷିଣ ପାର୍ଶ୍ଵ ଶନିମନ୍ଦିର ପରିସରରେ ଥିବା ସାଇ ସାଗର ଧାମର ପ୍ରଥମ ବାର୍ଷିକୋ ତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଗତକାଲି ସ୍ଥାନୀୟ ଭାଗିରଥୀ ସାଗରରୁ ସଂକୀର୍ତନ ଓ ୧୦୮ରୁ ଉର୍ଦ୍ଧ୍ବ ସାଇଭକ୍ତ ମହିଳାମାନେ କଳସ ପୂଜା କରି ଜଳ ଧାରଣ ପୂର୍ବକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସାଇବାବାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ। ଅଦ୍ୟ ଶ୍ରୀଶ୍ରୀ ଶିରିଡା ସାଇବାବାଙ୍କର ପ୍ରଥମ ବାର୍ଷିକୋତ୍ସବ ପାଳନ କରାଯାଇଅଛି । ମନ୍ଦିର ପୂଜକ ବିରଂଚି ନାରାୟଣ ନନ୍ଦ ସମସ୍ତ ପୂଜାବିଧ ସମାପନ କରିଥିବାବେଳେ ଆଚାର୍ଯ୍ୟ ଅଜୟ କୁମାର ନନ୍ଦ, ସନ୍ତୋଷ କୁମାର ପଣ୍ଡା ଓ ସହଯୋଗୀ ଘନଶ୍ୟାମ ପାଳଙ୍କ ଦ୍ବାରା ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅଦ୍ୟ ମଣ୍ଡଳ କଳସ ଅଧିବାସନ ପୂଜା, ବିଶ୍ୱଶାନ୍ତ ମହାଯଜ୍ଞ, ପୂର୍ଣ୍ଣାହୁତି ଓ ପ୍ରସାଦସେବନ ଦିବା ୨ ଘଟିକାରେ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ୭ ଘଟିକାରେ ପାଲିଙ୍କି ଶୋଭା ଯାତ୍ରା, ଭକ୍ତିଶ୍ରଦ୍ଧା ଭଜନ ଅନୁଷ୍ଠାନ ତରଫରୁ ଭଜନ ସମାରୋହ ଓ ପ୍ରସାଦସେବନ ରାତ୍ର ୮ ଘଟିକାରେ ଅନୁଷ୍ଠିତ ହୋଇଥିଲା । ଏହି ପୂଜାରେ କର୍ତା ଭାବେ ଗୋପାଳ ପାତ୍ର ଓ କର୍ମୀ ଭାବେ ନରେଶ ପାତ୍ର ଭାର ସମ୍ଭାଳିଥିଲେ । ସାଇସାଗର ଧାମର ସେବକ ବୃନ୍ଦ ସଙ୍ଗେଶ୍ଵର ଭାଟ, ସୁଧାକର ସାହୁ, କୃଷ୍ଣଚନ୍ଦ୍ର ଭଟ୍ଟ, ସର୍ବେଶ୍ବର ଭଟ୍ଟ, ଗିରିଷ ଚନ୍ଦ୍ର ବେହେରା, ତାପସ କୁମାର ମହାନ୍ତି ଓ ସାଇସାଗର ଧାମର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ବାର୍ଷିକୋତ୍ସବକୁ ଶୃଙ୍ଖଳାର ସହିତ ସମାପନ କରିଛନ୍ତି ।