ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ଜାତୀୟ ରାଜପଥ ରାସ୍ତାରେ ଗାଈଗୋରୁ ଶୋଇବା ଏବଂ ଚଳପ୍ରଚଳ କାରଣରୁ ବିଭିନ୍ନ ସ୍ଥାନରେ ଦୈନନ୍ଦିନ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ହାନି ଘଟୁଥିବା ବେଳେ ଗାଈଗୋରୁ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ଗତକାଲି ଗୁରୁବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ନୂଆସାହି କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ପାଞ୍ଚଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ବିଷୟ ସକାଳୁ ସକାଳୁ ଅଞ୍ଚଳ ବାସୀ ଦେଖିବା ପରେ ଘଟଣା ସମ୍ପର୍କରେ ବାଲିଗୁଡ଼ା ଥାନା ପୋଲିସ୍ ଏବଂ ଏନ୍ଏସି ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଖବରପାଇ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଓ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହାୟତାରେ ମୃତ ମଇଁଷିଙ୍କୁ ତୁରନ୍ତ ରାସ୍ତାରୁ ଉଠାଇ ନେଇଥିବା ଜଣାପଡ଼ିଛି । ବାଲିଗୁଡ଼ା ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ସହର ମଧ୍ୟ ଦେଇ ଯାଇଥିବା ୫୯ ନଂ.ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ଭାରି ଯାନବାହାନ ଚଳାଚଳ କରୁଛି । ଏଭଳି ସ୍ଥିତିରେ ରାଜରାସ୍ତାରେ ଗାଈଗୋରୁ, ଛେଳି, ମେଣ୍ଡା ଆଦି ଗୃହପାଳିତ ପଶୁମାନେ କବଜା କରି ରଖିବା କାରଣରୁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏଣୁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବେ ଜରୁରୀ ହୋଇପଡ଼ିଛି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଅକାରଣରେ ଘଟୁଥିବା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାରେ ଗାଈ, ଗୋରୁଙ୍କ ସମେତ ଜନସାଧାରଣଙ୍କ ଜୀବନ ବଞ୍ଚିଯାଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।