ତିର୍ତ୍ତୋଲ(ମାନସ କୁମାର ସୁତାର ):- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମପଞ୍ଚାୟତ ସରିଖି ଗ୍ରାମରେ ଷଷ୍ଠ ଶ୍ରେଣୀରେ ପାଠପଢୁଥିବା ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ୪୫ବର୍ଷୀୟ କାମାନ୍ଧ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଘଟଣାଟି ତିନିଦିନ ତଳେ ଘଟିଥିବା ବେଳେ ଆଜି ତିର୍ତ୍ତୋଲ ପୋଲିସ ଅଭିଯୁକ୍ତ କାମାନ୍ଧ ଯୁବକକୁ ଧରିନେଇ ଥାନାରେ ଅଟକ ରଖିଥିବା ଜଣାପଡିଛି। ସରିଖି ଗ୍ରାମର ନୃସିଂହ ସାହୁଙ୍କ ୪୫ବର୍ଷୀୟ ପୁଅ ସୁନାକର ସାହୁଙ୍କ ଗ୍ରାମରେ ଏକ ତେଜେରାତୀ ଦୋକାନ ଅଛି। ତିନିଦିନ ତଳେ ଗାଁରେ ଅଷ୍ଟମ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକରେ ଗ୍ରାମର ସମସ୍ତେ ବ୍ୟସ୍ତଥିବା ବେଳେ ସୁନାକରଙ୍କ ତେଜେରାତୀ ଦୋକାନକୁ ଜଣେ ୧୨ବର୍ଷର ନାବାଳିକା ସଉଦା ପାଇଁ ଆସିଥିଲା। ନାବାଳିକାକୁ ଏକାକୀ ପାଇ କାମାନ୍ଧ ସୁନାକର ତାକୁ ନିଛାଟିଆ ସ୍ଥାନକୁ ଟେକିନେଇ ଦୁଷ୍କର୍ମ କରିଥିଲା। କାହାକୁ କିଛି ନକହିବା ପାଇଁ ଧମକ ମଧ୍ୟ ଦେଇଥିଲା ବୋଲି ଶୁଣିବାକୁ ମିଳିଛି । ନାବାଳିକାର ବାପା ଘରେ ନରହୁଥିବା ବେଳେ ଘଟଣା ଜାଣି ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଥିବା ବେଳେ ତିର୍ତ୍ତୋଲ ଥାନାରେ ଏସମ୍ପର୍କରେ ଅଭିଯୋଗ ହୋଇଥିଲା। ଆଜି ପୋଲିସ ସରିଖି ଗ୍ରାମରୁ ଅଭିଯୁକ୍ତ କାମାନ୍ଧ ଯୁବକ ସୁନାକରକୁ ଉଠାଇ ଆଣି ତିର୍ତ୍ତୋଲ ଥାନାରେ ଅଟକ ରଖି ଅନୁସନ୍ଧାନ ଚଳାଇଥିବା ଜାଣିବାକୁ ମିଳିଛି। ଏହି ଘଟଣାକୁ ଚପାଇଦେବାକୁ ମୁଲଚାଲ ହେଉଥିବା ଅଭିଯୋଗ ଉଠୁଥିବା ବେଳେ ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ପଚାରିବାରେ କୌଣସି ସ୍ପଷ୍ଟ ଉତ୍ତର ନମିଳିବା ସନ୍ଦେହ ସୃଷ୍ଟି କରିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।