ସମଗ୍ର କନ୍ଧମାଳରେ କାଳ ବୈଶାଖିର କରାଳ ରୂପ : ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଏକ ପରିବାରର ୪ ସଦସ୍ୟ

ବାଲିଗୁଡା,୦୧/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କାଳ ବୈଶାଖିର କରାଳ ରୂପ କରୋନାରୁ ବଳି ପଡିଛି। ଏହାର ପ୍ରଭାବ ସମଗ୍ର ଜିଲାର ପ୍ରାୟ ଅଞ୍ଚଳରେ ଦେଖାଯାଇଥିବା ବେଳେ ପ୍ରବଳ ପବନ ସହିତ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ପଡିଥିଲା। ତେବେ ସହରାଞ୍ଚଳ ମାନଙ୍କ ଅପେକ୍ଷା ଗ୍ରାମାଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖାଯାଇଥିଲା। ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଘରଦ୍ୱାରା ମଧ୍ୟ ଭାଙ୍ଗିରୁଜି ଯାଇଛି। ତେବେ କନ୍ଧମାଳ ଜିଲାର କ.ନୂଆଗାଁ ବ୍ଳକର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖିର ତାଣ୍ଡବ ସମସ୍ତଙ୍କୁ ଚକିତ କରିଥିଲା।

ଏହି ବ୍ଳକ ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତ ରେ କେବଳ ୧୫୦ରୁ ଉର୍ଦ୍ଧ ଘର ଭାଙ୍ଗି ଯାଇଥିବାର ଖବର ମିଳିଛି । ସୂଚନା ପ୍ରକାରେ , କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ପବନ ଯୋଗୁଁ ଡ଼ାମିସାହି , ତେଲିସାହି , ପାଟଖଣ୍ଡା ସାହି , କର୍ଣ୍ଣାଟପୁର ସାହି ଆଦିରେ ପ୍ରାୟ ୭୦ଟି ଘରର ଆଜବେଷ୍ଟସ ଉଡ଼ିଯାଇଛି। ଗ୍ରାମବାସୀ ମାନଙ୍କ ମଧ୍ୟରେ ବିଳମ୍ବି ରାତ୍ରରେ କୋକୁଆ ଭୟ ସୃଷ୍ଟି କରିଥିଲା। ସେହିଭଳି କୁଡ଼ୁପାକିଆ , ସିର୍ତ୍ତିଗୁଡା , ବଣଗୁଡ଼ା ଆଦି ପଞ୍ଚାୟତ ରେ ମଧ୍ୟ ଏହାର ପ୍ରଭାବରେ ପ୍ରାୟ ୯୦ଟି ଘର ଭାଙ୍ଗି ପଡ଼ିଥିବାର ଖବର ମିଳିଛି। ତେବେ ଏହାର ପ୍ରଭାବରେ କର୍ଣ୍ଣାଟପୁର ସାହିର ଧର୍ମେନ୍ଦ୍ର ଦିଗାଲଙ୍କ ସ୍ତ୍ରୀ ଓ ତିନିଛୁଆ ଘରେ ଶୋଇଥିବା ବେଳେ ଏକ ଜାମୁକୋଳି ଗଛ ଘର ଉପରେ ପଡ଼ିଯାଇଥିଲେ ମଧ୍ୟ ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ କ. ନୂଆଗାଁ ତହସିଲ୍‍ଦାର ମନୋଜ କୁମାର ଦେବଦତ୍ତ , ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର , ଆର୍‍.ଆଇ ଶୁଭଶ୍ରୀ ପ୍ରିୟଦର୍ଶନୀ ସାହୁ ,ସରପଞ୍ଚ ନୀଳିମା ମଲିକ ଓ ଅନ୍ୟମାନେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହିତ ପିଡ଼ିତ ପରିବାରକୁ ସାକ୍ଷାତ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଅନେକ ପରିବାର ବେଘର ହୋଇପଡିଥିବା ଯୋଗୁଁ ସେମାନେ ଆଖ ପାଖରେ ଥିବା ପଡୋଶୀ ଘର ମାନଙ୍କରେ ଆଶ୍ରୟ ନେଇଥିବା ଜଣାପଡିଛି ।

FacebookTwitterWhatsappYoutubeTelegram